ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଖର୍ଚ୍ଚ ହେବ ୫୭୪ କୋଟି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସ୍ବାଭାବିକ ଭାବେ ଚାଲିଥିଲା ବିଧାନସଭାର ପ୍ରଶ୍ନକାଳ। ନୂଆ ମନ୍ତ୍ରୀମାନେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ ।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମନ୍ତବ୍ୟ ରଖି କହିଥିଲେ ଯେ ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଠିକଣା ଢଙ୍ଗରେ ଓ ଠିକଣା ସମୟରେ ହୋଇପାରୁନାହିଁ । ଫଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେଉଁଭଳି ଭାବରେ ଅଭିବୃଦ୍ଧି ହେବା କଥା ସେଭଳି ହେଉନାହିଁ । ପର୍ଯ୍ୟଟନ କ୍ଷେତ୍ର ପାଇଁ ବ୍ୟୟବରାଦ ହେଉଥିବା ଅର୍ଥରାଶି ଖର୍ଚ୍ଚ ହୋଇପାରୁନାହିଁ । ଗୋଆ ଭଳି ରାଜ୍ୟରେ ବର୍ଷା ଦିନରେ ମଧ୍ୟ ପର୍ଯ୍ୟଟନର ଲାଭ ଉଠାଯାଉଛି, ମାତ୍ର ଓଡ଼ିଶାରେ ଗୁରୁତ୍ୱ ଦିଆଯାଉ ନାହିଁ । ବିଭାଗ ଯେଉଁ କାର୍ଯ୍ୟ କରୁଛି ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ଗୃହରେ ନୂତନ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ‘ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ୨୦୧୯ ପରେ କୋଭିଡ ଯୋଗୁ ରାଜ୍ୟକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ।’