ରାଜ୍ୟରେ ୫G ସେବାର ଶୁଭାରମ୍ଭ: ଡିସେମ୍ବର ୨୦୨୪ ସୁଦ୍ଧା ସାରା ରାଜ୍ୟରେ ହେବ ଉପଲବ୍ଧ

ଭୁବନେଶ୍ୱର: ଓଡ଼ିଶାରେ ଆଜି ୫ଏ ଟେଲିକମ୍‍ ସେବାର ଉଦ୍‍ଘାଟନ ହୋଇଛି । ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍‍ଟ୍ରୋନିକ୍ସ, ଆଇ.ଟି ଓ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ୫ଜି ସେବା ଆରମ୍ଭ ହେବା ପରେ ଦୂରସଂଚାର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ । କଟକ ଓ ଭୁବନେଶ୍ୱର ଠାରେ ଆଜି ଠାରୁ ୫ଜି ସେବାର ଶୁଭାରମ୍ଭ ହୋଇଥିବା ବେଳେ ସାରା ରାଜ୍ୟରେ ଆଗାମୀ ୨ ବର୍ଷ ମଧ୍ୟରେ ଏହି ସେବା ପହଂଚିବ । ୨୦୨୪ ମସିହା ଡିସେମ୍ବର ୩୧ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ଉପଲବ୍ଧ ହେବ ।

ସେ କହିଛନ୍ତି, ନରେନ୍ଦ୍ର ମୋଦୀ ସରକାର ଓଡିଶାରେ ମୋବାଇଲ ଟାୱାର ସ୍ଥାପନା କରିବା ପାଇଁ ୫୬ ଶହ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଆଜି ଶହେଟି ମୋବାଇଲ ଟାୱାରର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ମୋଟ ୫ ହଜାର ମୋବାଇଲ ଟାୱାର ସ୍ଥାପନା କରାଯିବ ଓ ଏହା ଦ୍ୱାରା ୭ ହଜାର ଗ୍ରାମରେ ମୋବାଇଲ ସେବା ଉପଲବ୍ଧ କରାଯିବ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏକବିଂଶ ଶତାବ୍ଦୀର ଓଡ଼ିଶାର ବୈଷୟିକ ପ୍ରଗତି ଦିଗରେ ଆଜିର ଦିନ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ସମାଜର ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନକୁ ସୁଦୃଢ଼ ଓ ଡିଜିଟାଲ ଦୂରତ୍ୱକୁ ହ୍ରାସ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ସବୁ ପଂଚାୟତରେ ୫ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଟେଲିକମ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଉଚ୍ଚ କ୍ଷମତା ବିଶିଷ୍ଟ ଅପ୍ଟିକାଲ ଫାଇଭର ସଂଯୋଗ କରାଯାଉଛି । ଏହି ସବୁ ପଦକ୍ଷେପ ଦ୍ୱାରା ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

SBI AD