ଚାରିଚକିଆ ଯାନରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ: ନିତିନ ଗଡ଼କରୀ

ନୂଆଦିଲ୍ଲୀ : ଦେଶରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ତଥା ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ମୃତ୍ୟୁପରେ ସଡ଼କ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି କେନ୍ଦ୍ର ସରକାର । ଆସନ୍ତା ଅକ୍ଟୋବର ୧ ତାରିଖରୁ ସବୁ ଚାରିଚକିଆ ଯାନରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବ । ଏହି ନିୟମ ମୁଖ୍ୟତଃ ଏମ୍-୧ ଶ୍ରେଣୀ ଯାନପାଇଁ ଲାଗୁ ହେବ । ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି ।

ତେବେ ନିତିନ ଗଡକରୀ ୧ ଅକ୍ଟୋବର ୨୦୨୩ ରୁ ପାସେଞ୍ଜର କାର୍ ରେ ସର୍ବନିମ୍ନ ୬ ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ଲାଗୁ କରିବାନେଇ ଘୋଷଣା କରିଛନ୍ତି । ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଗୁରୁବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ଟୋବର ୨୦୨୩ ରୁ କାରମାନଙ୍କ ରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବ ।

ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବାହନ ନିର୍ମାତାଙ୍କ ଉପରେ ଏୟାରବ୍ୟାଗ୍ ଲଗାଇବାକୁ ନେଇ ସମାଲୋଚନା ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ସଡ଼କ ପରିବହନ ମନ୍ତ୍ରୀ ରାଜମାର୍ଗ ମନ୍ତ୍ରାଳୟ ଜାନୁଆରୀ ୨୦୨୨ ରେ ଜାରି ବିଜ୍ଞପ୍ତି ରେ ଏହି ପ୍ରସ୍ତାବ ଦେଇଥିଲା ଯେ ୧ ଅକ୍ଟୋବର ୨୦୨୨ ପରଠାରୁ ଏମ-୧ କାଟାଗୋରୀର ସବୁ କାର୍ ପାଇଁ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବା ଦରକାର । ଆଉ ଏବେ ଯୋଗାଣ ଶୃଙ୍ଖଳାକୁ ନେଇ ଉଠିଥିବା ଚାଲେଞ୍ଜକୁ ଧ୍ୟାନରେ ରଖି ଏହାକୁ ଆସନ୍ତା ବର୍ଷ ଯାଏଁ ଘୁଞ୍ଚାଯାଇଛି ।