୬ ଲକ୍ଷ ୨୮ହଜାର ୯୯୩ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୮ /୬ : କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ୬ଲକ୍ଷ ୨୮ହଜାର ୯୯୩ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୮ଟି ଅର୍ଥନୈତିକ ରିଲିଫ୍‍ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୪ଟି ଯୋଜନା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ସମ୍ପର୍କିତ। କୋଭିଡ୍‍ ମହାମାରୀ ପାଇଁ ୩ଲକ୍ଷ ୭୬ହଜାର ୨୪୪ କୋଟି, ଜନସ୍ୱାସ୍ଥ୍ୟ ପାଇଁ ୧୫ହଜାର କୋଟି, ଅଭିବୃଦ୍ଧି ଏବଂ ରୋଜଗାର ପାଇଁ ୨ଲକ୍ଷ ୩୭ହଜାର ୭୪୯ କୋଟି ଟଙ୍କା ଘୋଷଣା କରାଯାଇଛି।

ନୂଆଦିଲ୍ଲୀରେ ସମ୍ବାଦଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ୍‍ ଦ୍ୱାରା ପ୍ରଭାବିତ କ୍ଷେତ୍ର ଗୁଡ଼ିକୁ ସହାୟତା ଯୋଗାଇଦେବା ପାଇଁ ୧ଦଶମିକ ୧ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୫୦ହଜାର କୋଟି ଟଙ୍କା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ସମ୍ପର୍କୀତ। ଏହି ଯୋଜନାରେ ଅଣସଂରକ୍ଷିତ ଅଞ୍ଚଳଗୁଡ଼ିକରେ ମେଡିକାଲ୍‍ ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ। ସୀତାରମଣ କହିଛନ୍ତି, ଏହି ଗ୍ୟାରେଣ୍ଟି ଯୋଜନା ନୂଆ ପ୍ରକଳ୍ପ ଏବଂ ସମ୍ପ୍ରସାରିତ ପ୍ରକଳ୍ପ ଦିଗରେ ଖର୍ଚ୍ଚ କରାଯିବ। ଏହାର ୫୦ ପ୍ରତିଶତ ଅର୍ଥ ସମ୍ପ୍ରସାରଣ ଏବଂ ୭୫ ପ୍ରତିଶତ ନୂଆ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ଆକାଂକ୍ଷିକ ଜିଲ୍ଲା ଗୁଡ଼ିକରେ ମେଡିକାଲ୍‍ ଭିତ୍ତିଭୂମିର ବିକାଶ ଦିଗରେ ଅଧିକ ଲକ୍ଷ୍ୟ ଦିଆଯାଇଛି।