ପାକ୍ ଜେଲରେ ୬୩୧ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ: ମୁକ୍ତି ପାଇଁ ଭାରତ କଲା ଦାବି

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତ ଓ ପାକ୍ ମଧ୍ୟରେ ବିବାଦ ଲାଗି ରହିଛି । ବିଶେଷ କରି ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ଉପରେ ଭାରତ ପ୍ରଚଣ୍ଡ କ୍ଷୁବ୍ଧ ରହିଛି । ଏକ ପଡ଼ୋଶୀ ରାଷ୍ଟ୍ର ହୋଇ ଭାରତକୁ ସହଯୋଗ କରିବା ବଦଳରେ ପାକିସ୍ତାନ ସରକାର ଆତଙ୍କବାଦୀମାନଙ୍କୁ ତାଲିମ ଦେଇ ସୀମା ପାର୍ କରାଇବା ପରେ ଆତଙ୍କବାଦୀମାନେ ଜାମ୍ମୁକାଶ୍ମୀର ସମେତ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି ।

 

ଏସବୁ ଭିତରେ ଦଣ୍ଡାଦେଶ ପୂରଣ କରିସାରିଥିଲେ ମଧ୍ୟ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦୁଇ ନାଗରିକଙ୍କ ସମେତ ୬୩୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଭାରତ ସରକାର ଦାବି ଉପସ୍ଥାପନ କରିଛନ୍ତି । ସେଠାକାର ଅଦାଲତ ଦେଇଥିବା ଦଣ୍ଡାଦେଶ ପୂରଣ କରି ସାରିଥିବା ଭାରତୀୟ ମତ୍ସ୍ୟଜୀବୀ ଓ ସାଧାରଣ ନାଗରିକଙ୍କ ମୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ପାକିସ୍ତାନକୁ ପରାମର୍ଶ ଦେଇଛି । ପାକିସ୍ତାନ ସରକାରଙ୍କ ନିକଟରେ କେନ୍ଦ୍ର ସରକାର ଏନେଇ ଦୃଢ ଦାବି ରଖିଛନ୍ତି ।