ନୂଆଦିଲ୍ଲୀ,୩୧/୧୦: ଗୁଜରାଟ ମୋର୍ବୀରେ ଝୁଲାପୋଲ ଛିଡ଼ି ପଡ଼ିବା ପରେ ଏପର୍ଯ୍ୟନ୍ତ ୧୪୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣଙ୍କ ପତ୍ତା ମିଳିପାରିନାହିଁ। ଦୁର୍ଘଟଣା ଘଟିବା ପରଠାରୁ କ୍ରମାଗତଭାବେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପ୍ରାୟ ୫୦୦ଲୋକ ଦୁର୍ଘଟଣା ଘଟିବା ସମୟରେ ପୋଲ ଉପରେ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ୪୭ଜଣ ଶିଶୁ ଥିବା କୁହାଯାଉଛି। ଏହା ସହ ଗୋଟିଏ ପରିବାରର ୭ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
କୁହାଯାଉଛି ଯେ ଜାଦେଜା ପରିବାରର ୭ଜଣ ସଦସ୍ୟ ରବିବାର ଦିନ ମୋର୍ବିର ଏକ ମନ୍ଦିରରୁ ଫେରୁଥିଲେ। ଝୁଲାପୋଲ ଉପରେ ବୁଲିବା ପାଇଁ ପିଲାମାନେ କହିବାରୁ ଜାଦେଜା ପରିବାର ଝୁଲା ପୋଲ ଉପରକୁ ଯାଇନଥିଲେ। ହେଲେ ସେମାନଙ୍କୁ ଜଣାନଥିଲା ଯେ, ଏହି ନିଷ୍ପତ୍ତି ତାଙ୍କ ଜୀବନ ନେଇଯିବ। ତେବେ ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଗୁଜରାଟ ପୁଲିସ ୯ଜଣଙ୍କୁ ଗିରଫ କରିସାରିଥିବା ନେଇ ଚର୍ଚ୍ଚା ହେଉଛି। ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରେ ପୋଲର ମରାମତି କରିଥିବା କମ୍ପାନି ଓରେଭାର ୨ଜଣ କର୍ମଚାରୀ ରହିଛନ୍ତି।
