ରୁତୁରାଜ ଗାଏକ୍ୱାଡଙ୍କ ନିଆରା ରେକର୍ଡ: ଗୋଟିଏ ଓଭରରେ ୭ ଛକା ସହିତ ୪୩ ରନ

ଅହମ୍ମଦାବାଦ: ମହାରାଷ୍ଟ୍ରର ଯୁବ ବ୍ୟାଟର ରୁତୁରାଜ ଗାଏକ୍ୱାଡ ଚଳିତ ଘରୋଇ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପ୍ରତିଷ୍ଠା କରିଛନ୍ତି ଏକ ନିଆରା ରେକର୍ଡ । ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମ ପରିସର ସ୍ଥିତ ବି ଗ୍ରାଉଣ୍ଡରେ ଚାଲିଥିବା ମହାରାଷ୍ଟ୍ର-ଉତ୍ତର ପ୍ରଦେଶ କ୍ୱାର୍ଟରଫାଇନାଲ ମ୍ୟାଚରେ ଗାଏକ୍ୱାଡ ଗୋଟିଏ ଓଭରରେ ୭ ଛକା ସହିତ ୪୩ ରନ ସଂଗ୍ରହ କରିଛନ୍ତି । ମହାରାଷ୍ଟ୍ର ୫୦ ଓଭରରେ ୫ ୱିକେଟ ହରାଇ ୩୩୦ ରନ କରିଥିବା ବେଳେ ଗାଏକ୍ୱାଡ ଏହି ନିଆରା କୀର୍ତ୍ତିମାନ ପ୍ରତିଷ୍ଟା କରିଛନ୍ତି ।

ମହାରାଷ୍ଟ୍ର ପ୍ରଥମ ଇନିଂସର ଅର୍ଦ୍ଧାଧିକ ରନ ଏକାକୀ ସଂଗ୍ରହ କରିଛନ୍ତି ଗାଏକ୍ୱାଡ । ସେ ପ୍ରତିପକ୍ଷ ବୋଲରଙ୍କୁ ନିସ୍ତୁକ ପ୍ରହାର କରି ୧୬ ଛକା ଓ ୧୦ ଚୌକା ସହିତ ୧୫୯ ବଲରୁ ଅପରାଜିତ ୨୨୦ ରନ କରିଥିବା ବେଳେ ମହାରାଷ୍ଟ୍ରର ଅବଶିଷ୍ଟ ବ୍ୟାଟର କରିଛନ୍ତି ୯୬ ରନ । ଉତ୍ତର ପ୍ରଦେଶ ଦଳର ବୋଲର ଶିବା ସିଂଙ୍କ ଗୋଟିଏ ଓଭରରେ ଗାଏକ୍ୱାଡ୬ ଛକା ମାରି ଥିବା ବେଳେ ଏଥିରୁ ଗୋଟିଏ ବଲ ନୋ-ବଲ ହେବାରୁ ଆଉଏକ ଛକା ମାରି ଥିଲେ । ତେଣୁ ସେ ୭ ଛକା ସହିତ ଗୋଟିଏ ଓଭରରେ ୪୩ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡ କ୍ରିକେଟର ୱେଲେମ ଲୁଡିକଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ କେନ୍ଦ୍ରୀୟ ଜିଲ୍ଲା ବୋଲର ୱେଲେମ ଲୁଡିକ ୨୦୧୮-୧୯ ଫର୍ଡ ଟ୍ରଫି ପ୍ରତିଯୋଗିତାର ଗୋଟିଏ ଓଭରରେ ୪୩ ରନ ରନ ସଂଗ୍ରହ କରି ଥିଲେ । ତେବେ ନ୍ୟୁଜିଲାଣ୍ଡର ଅନ୍ୟତମ ବ୍ୟାଟର ତଥା ପୂର୍ବତନ ଅଧିନାୟକ ଲି ଜେରମନ ୧୯୯୦ରେ ୱେଲିଂଟନରେ ଅନୁଷ୍ଠିତ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ଶେଲ ଟ୍ରଫିର ଏକ ଓଭରରେ ସର୍ବାଧିକ ୮ ଛକା ମାରି ପ୍ରତିଷ୍ଠା କରିଥିବା ରେକର୍ଡ ଆଜି ସୁଦ୍ଧା ଅତୁଟ ରହିଛି ।

ସେହିପରି ଗାଏକ୍ୱାଡ ଗୋଟିଏ ଓଭରରେ ୭ ଛକା ମାରି ଥିବା ବେଳେ ପୂର୍ବରୁ ଗୋଟିଏ ସଭରରେ ୬ ଛକା ମାରିଥିବା ଅନ୍ୟ ଖେଳାଳି- ଗ୍ୟାରି ସୋବର୍ସ(୧୯୬୮), ରବି ଶାସ୍ତ୍ରୀ (୧୯୮୫), ହରଶ୍ଚଲ ଗିବ୍ସ(୨୦୦୭), ଯୁବରାଜ ସିଂ(୨୦୦୭), ରସ ୱିଟଲେ(୨୦୧୭), ହଜରାତୁଲ୍ଲ ଜାଜାଇ(୨୦୧୮), ଲିଓ କାର୍ଟର(୨୦୨୦), କିରନ ପୋଲାର୍ଡ(୨୦୨୧) ଥିସରା ପେରେରା(୨୦୨୧) ଓ ଯଶକରନ ମାଲହୋତ୍ରା(୨୦୨୧)ଙ୍କ କ୍ଳବରେ ସାମିଲ ହୋଇଛନ୍ତି ।