ଫୁଲବାଣୀ,୩/୭ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ୫୦ବର୍ଷ ମହିଳାଙ୍କୁ ଜଣେ ୭୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ସବେରାଙ୍ଗା ଗ୍ରାମର ବିନ୍ଦୁ ପ୍ରଧାନ(୭୦)। ଏନେଇ ଦାରିଙ୍ଗବାଡ଼ି ଥାନାରେ ୭୧/୨୦ ରୁଜୁ କରି ଆଇପିସି ଦଫା ୩୭୬(୧),୨୯୪,୫୦୬ ଆଧାରରେ ବିନ୍ଦୁ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈାଶିକ ମାଝୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଜୁନ ମାସ ୨୪ ତାରିଖ ଦିନ ସକାଳ ସମୟରେ ସବେରାଙ୍ଗା ଗ୍ରାମର ଜନୈକ ୫୨ ବର୍ଷୀୟ ମହିଳା ଏକାକି ଜଙ୍ଗଲ କୁ କାଠଆଣିବାକୁ ଯାଇଥିବା ସମୟରେ ଉକ୍ତ ଗ୍ରାମର ବିନ୍ଦୁ ପ୍ରଧାନ ମହିଳାଙ୍କ ଏକାକି ସୁଯୋଗ ନେଇ ଜଙ୍ଗଲ ନିକଟରେ ଥିବା ଏକ ପଦରରେ ଜୋର ଜବରଦସ୍ତ ଦୁୁଷ୍କର୍ମ କରିଥିଲେ। ଏହା ପରେ ମହିଳା ଜଣକ ଘରକୁ ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ମହିଳାଙ୍କ ପୁଅ ମାନେ ଅନ୍ୟ ଜିଲାରେ ରହୁଥିବାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଗତ ୩୦ ତାରିଖ ଦିନ ଘରକୁ ଫେରିଥିଲେ । ଏହା ମଧ୍ୟରେ ଗାଁ ରେ ଘଟଣାର ସମାଧାନ ପାଇଁ ଆପୋଷ ବୁଝାମଣା କରିବା ନେଇ ଏକ ବୈଠକ କରାଯାଇଥିଲେ ମଧ୍ୟ କିଛି ସମାଧାନର ବାଟ ବାହରିନଥିଲା ଏହାପରେ ମହିଳା ଜଣକ ଗତ ବୁଧବାର ଦିନ ଥାନାରେ ଏତଲା ଦେଇଥିଲେ। ମହିଳାଙ୍କ ଏତଲା ପରେ ଦାରିଙ୍ଗବାଡ଼ି ଥାନା ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଦିନ ଅଭିଯୁକ୍ତ ବିନ୍ଦୁ ପ୍ରଧାନଙ୍କୁ ଗିରଫ କରିଥିଲେ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।