ଆଜି ସୁରସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କର ୯୧ତମ ଜନ୍ମଦିନ

ମୁମ୍ବାଇ,୨୮/୯ : ଆଜି ସୁରସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କର ୯୧ତମ ଜନ୍ମଦିନ । ମଧ୍ୟ ପ୍ରଦେଶ ଇନ୍ଦୋରରେ ଜନ୍ମ ନେଇଥିବା ଲତା ୪୦ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ । ମାତ୍ର ୧୩ ବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଗାୟିକା ଦୁନିଆରେ ଲତା ମଙ୍ଗେସକରଙ୍କର ଏକ ମହତ୍ଵପୁର୍ଣ ଭୂମିକା ରହିଛି । ତାଙ୍କୁ ଏବେ ସୁଦ୍ଧା ୩ଟି ନ୍ୟାସନାଲ ଆୱାର୍ଡ ମିଳିଛି । ଭାରତ ସରକାର ୧୯୬୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ, ୧୯୯୯ ମସିହାରେ ପଦ୍ମ ବିଭୂଷଣ ଓ ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।  ସେ ଏଯାବତ୍ ୨୫ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରୁ ତାଙ୍କର ଏମିତି କିଛି କାଳଜୟୀ ଗୀତ ଯାହା ଲତାଜୀଙ୍କୁ ଚିର ଅମର କରି ରଖିବ।

ଲତା ମଙ୍ଗେସକରଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଲୋକ ଶୁଣିଛନ୍ତି । ୧୪ ବର୍ଷ ବୟସରୁ ଲତା କାମ କରିବା ଆରମ୍ଭ କରିଦେଇଥିଲେ । ପିତାଙ୍କ ଅକାଳ ବିୟୋଗ ପରେ ତାଙ୍କ ଉପରେ ପରିବାରର ବୋଝ ଆସିଥିଲା । ସେ ପରିବାରରେ ବଡ ହୋଇଥିବାରୁ ପରିବାର ସମ୍ଭାଳିବା ଦାୟିତ୍ୱ ବହନ କରିଥିଲେ । ଲତାଙ୍କ ପ୍ରଥମ ଆୟ ମାତ୍ର ୨୫ ଟଙ୍କା ଥିଲା । ଏକ କାର୍ଯ୍ୟକ୍ରମରେ ଷ୍ଟେଜରେ ଗାଇଥିବାରୁ ତାଙ୍କୁ ୨୫ ଟଙ୍କା ପାରିଶ୍ରମିକ ମିଳିଥିଲା । ପିଲା ଦିନୁ ସେ ବହୁତ ସଂଘର୍ଷ କରିଥିଲେ । ପୁରା ପରିବାରର ଦାୟିତ୍ୱ ତାଙ୍କ ଉପରେ ଥିବାରୁ ସେ ବିବାହ କରିନଥିଲେ ।