ଇସଲମାବାଦ, ୨୭/୨: ବୁଧବାର ସକାଳୁ ଭାରତ-ପାକ୍ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ପାକିସ୍ତାନ ନରମି ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, କାଲିଠାରୁ ଦୁଇ ଦେଶ ସୀମାରେ ଯେଉଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଶୁଭଙ୍କର ନୁହେଁ। ଆମେ ପୁଲଓ୍ବାମ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ। ପାକିସ୍ତାନ ଗତ ୧୦ ବର୍ଷରୁ ଆତଙ୍କବାଦୀଙ୍କ ସହ ଲଢୁଥିବାର ନଜିର ରହିଛି। ଆତଙ୍କବାଦ ଦମନରେ ଭାରତକୁ ଯଦି ପାକିସ୍ତାନର ସହାୟତା ଆବଶ୍ୟକ ପଡେ, ତେବେ ଆମେ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଇମ୍ରାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମଙ୍ଗଳବାର ବାଲାକୋଟରେ ଭାରତ ଯାହା ବି ଆକ୍ସନ ନେଇଥିଲା ସେଥିରେ ପାକିସ୍ତାନର କେତେ କ୍ଷତି ହୋଇଛି ତାହା ଆକଳନ କରାଯାଇନାହିଁ। ବୁଧବାର ସକାଳେ ପାକିସ୍ତାନ ସେନା ସୀମାରେ ଯେଉଁ ଆକ୍ରମଣ କରିଛି ତାହା କେବଳ ଆମେ ବଳ ଦେଖାଇବାକୁ ଚାହୁଁଥିଲୁ ବୋଲି ଇମ୍ରାନ କହିଛନ୍ତି। ଯଦି ଭାରତ ଆମ ଦେଶକୁ ଆସି ଆକ୍ସନ ନେଇ ପାରୁଛି ତେବେ ପାକିସ୍ତାନ କାହିଁକି ନୁହେଁ ବୋଲି ସେ ଟୁଇଟ୍ କରି କହିଛନ୍ତି। ଦୁଇ ଦେଶ ପାଖରେ ଯୁଦ୍ଧ ପାଇଁ ପ୍ରଚୁର ଅସ୍ତ୍ର ଅଛି। ଯୁଦ୍ଧ ବି କେବେ ବି ହୋଇପାରେ ତାହା ନା ମୋ ହାତରେ ଅଛି ନା ନରେନ୍ଦ୍ର ମୋଦିଙ୍କ ହାତରେ, ଆମେ ପୁଲଓ୍ବାମା ଆକ୍ରମଣ ଘଟଣା ଯାଞ୍ଚ୍ ପାଇଁ ପ୍ରସ୍ତୁତ ଅଛୁ ବୋଲି ଶେଷରେ ଇମ୍ରାନ କହିଛନ୍ତି।
