ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର,୨୮/୨: ଆସନ୍ତା ୧୨ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ବେଶି ଅନୁଭୂତ ହେବ ବୋଲି ଜାଣିବାକୁ ମିଳିଛି। ଘଣ୍ଟାକୁ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜାଣିବାକୁ ମିଳିଛି। ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ସୂଚନା ରହିଛି।

ଉଲ୍ଳେଖଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧.୪୫ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ବହିବା ଆରମ୍ଭ ହୋଇଥିଲା। ରାତି ୧୨ଟା ପରେ ଖୁବ୍‌ ଜୋର୍‌ ବର୍ଷା ହୋଇଥିଲା। ବର୍ଷା କାରଣରୁ ବିଦ୍ୟୁତ୍‌ ସରବରାହରେ ବି ବ୍ୟାଘାତ ଘଟିଥିଲା। ବର୍ଷା ପାଖାପାଖି ଦେଢ଼ ଘଣ୍ଟା ଧରି ହେବା ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ହୋଡିଂ ଆଦି ଭାଙ୍ଗି ତଳେ ପଡ଼ିଥିବାର ସକାଳୁ ଦେଖିବାକୁ ମିଳିଛି।