ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍) ଯାହାଙ୍କୁ ମେରି କମ୍ ନାମରେ ସମସ୍ତେ ଜାଣନ୍ତି । ସେ ହେଉଛନ୍ତି ଏକମାତ୍ର ମହିଳା ମୁଷ୍ଟି ଯୋଦ୍ଧା ଯିଏ ୬ଥର ଯାକ ବିଶ୍ୱ ଚମ୍ପିୟନ୍ସିପ୍ରେ ପଦକ ଜିତିଛନ୍ତି । ମେରି ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ଖେଳାଳି ଯିଏ ୨୦୧୨ ଲଣ୍ଡନ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି. ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ । ମେରି କମ୍ଙ୍କ ଜନ୍ମ ୧ମାର୍ଚ୍ଚ ୧୯୮୩ମସିହାରେ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା । ମେରି କମ୍ଙ୍କ ବିବାହ ଓନଲର କମ୍ଙ୍କ ସହିତ ହୋଇଥିଲା ଓ ତାଙ୍କର ୩ଟି ସନ୍ତାନ ବି ଅଛନ୍ତି । ମେରି କମ୍ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ବକ୍ସିଂ ଚମ୍ପିଅନ୍ସିପ୍ ଜିତିଥିଲେ । ଏପର୍ଯ୍ୟନ୍ତ ସେ ୧୦ ଥର ଚମ୍ପିଅନ୍ସିପ୍ ଜିତି ସାରିଛନ୍ତି । ବକ୍ସିଂରେ ଦେଶର ନାମ ଉଜ୍ୱଳ କରିଥିବା ହେତୁ ଭାରତ ସରକାର ୨୦୦୩ ମସିହାରେ ମେରି କମ୍ଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ ତଥା ଜୁଲାଇ ୨୯, ୨୦୦୯ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରନି ପ୍ରଦାନ କରିଥିଲେ ।