ସ୍ୱର ମଲିକା ଶ୍ରେୟା

ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ, ହିନ୍ଦୀ ସମେତ ଅନେକ ଓଡ଼ିଆ, ଅସିମୀୟା, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲଗୁ ଆଦି ଭାଷାମାନଙ୍କ ପାଇଁ କଣ୍ଠଦାନ କରିଛନ୍ତି । ରୋମାଣ୍ଟିକ୍‌, ସୁଫି ସହ ଅନେକ ପପ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରିଛନ୍ତି ଶ୍ରେୟା । ରିୟାଲିଟି ଶୋ’ ‘ସାରେ ଗା ମା ପା’ର ପ୍ରତିଯୋଗୀ ସାଜିଥିବାବେଳେ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲିଙ୍କ ନଜରକୁ ଆସିଥିଲେ ଶ୍ରେୟା । ଏହାପରେ ଭନସାଲି ତାଙ୍କୁ ନିଜ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଫିଲ୍ମ ଦେବଦାସରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଶ୍ରେୟା ରାତାରାତି ଲୋକପ୍ରିୟ ହୋଇଯାଇଥିଲେ । ଯେଉଁଥି ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡରେ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟିକା ଦିଆଯାଇଥିଲା । ତାହା ପର ଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ୨୦୦ରୁ ଅଧିକ ସିନେମାରେ ସଂଗୀତ ଗାନ କରିସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ଶ୍ରେୟା ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ମାର୍ଚ୍ଚ ୧୨, ୧୯୮୪ରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜନ୍ମଗ୍ରହଣ କରିଥିଲେ ।