ସାଲେପୁର ବିଧାୟକ ପ୍ରକାଶ ବେହେରା ଭାଜପାରେ ମିଶିବା ନେଇ ଚର୍ଚ୍ଚା

କଟକ ,୧୫/୩: ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ପ୍ରକାଶ ବିଜେଡିକୁ ଯିବେ ଏବଂ ସାଲେପୁରରୁ ପ୍ରାର୍ଥୀ ହେବେ ଏଭଳି ଆଲୋଚନା ନିର୍ବାଚନମଣ୍ଡଳୀରେ ଲାଗି ରହିଥିଲା। ହେଲେ ଶୁକ୍ରବାର ଦିନତମାମ ଭିନ୍ନ ଆଲୋଚନା ହେଉଛି। ପ୍ରକାଶ ବିଜେଡି ନୁହେଁ ଭାଜପାରେ ଯୋଗ ଦେଉଥିବା ନେଇ ଜୋରଦାର ଆଲୋଚନା ଜାରି ରହିଛି। ଏଭଳି ଆଲୋଚନା ସମ୍ପର୍କରେ ପ୍ରକାଶ କୌଣସି ସ୍ପଷ୍ଟ ମତ ଦେଇ ନ ଥିଲେ ମଧ୍ୟ ନର କି ଗୁଞ୍ଜରେ ଅଶ୍ୱତ୍‌ଥମା ହତ ଭଳି ପ୍ରତିକ୍ରିୟା ଦେଇଛନ୍ତି। ପ୍ରକାଶ କହିଛନ୍ତି, ସାଲେପୁରବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ଯେଭଳି ରକ୍ଷା ହୋଇପାରିବ ସେଭଳି ପଦକ୍ଷେପ ସେ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଭାଜପାରେ ଯୋଗ ଦେଉଛନ୍ତି କି ପ୍ରଶ୍ନରେ ଖୁବ୍‌ଶୀଘ୍ର ସମସ୍ତେ ଜାଣିପାରିବେ ସେ କେଉଁଠି ଯୋଗଦେଉଛି ବୋଲି ପ୍ରକାଶ କହିଛନ୍ତି। ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ, ପ୍ରକାଶଙ୍କ ଯୋଗଦାନ ସମ୍ପର୍କରେ ବିଜେଡି ପକ୍ଷରୁ ଦୀର୍ଘଦିନ ଧରି ନିଷ୍ପତ୍ତି ଝୁଲାଇ ରଖାଗଲା ଏବଂ ନିକଟରେ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଥିଲେ ଯେ, ସାଲପୁରରୁ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଟିକେଟ୍‌ ମିଳିବ। ଏସବୁରୁ ପ୍ରକାଶ ମନ ବଦଳାଇଥିବା କୁହାଯାଉଛି।

ପ୍ରକାଶଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଚର୍ଚ୍ଚା ଜୋର ଧରିବା ପରେ ଭାଜପା ଜିଲା ସଭାପତି ଚୌଧୁରୀ ହେମନ୍ତ ସାହୁ କହିଛନ୍ତି ଯେ, କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳ। ଯଦି ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତା ଚାହିଁବେ ତେବେ ତାଙ୍କର ସେଥିରେ ଆପତ୍ତି ନାହିଁ। ଯାହା ଦଳ ପାଇଁ ଭଲ ହେବ ତାହାକୁ ସେ ସ୍ବାଗତ କରିବେ ବୋଲି ସାହୁ କହିଛନ୍ତି। ସେହିପରି କଂଗ୍ରେସ ଜିଲା ସଭାପତି ଗୁରୁପଦ ନନ୍ଦ ମଧ୍ୟ ଏ କ୍ଷେତ୍ରରେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ନନ୍ଦଙ୍କ କହିବା ଅନୁଯାୟୀ ପ୍ରକାଶ ଏବେ ଦଳରେ ଅଛନ୍ତି। କାରଣ ଦଳର ପ୍ରାଥମିକ ସଭ୍ୟ ପଦରୁ ସେ ଇସ୍ତଫା ଦେଇନାହାନ୍ତି। ଗତ ୧୫ ଦିନ ତଳେ ସେ ନିଜେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ନିକଟରେ ଆବେଦନପତ୍ର ଦାଖଲ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ସେ ଭାଜପାରେ ମିଶିବେ ବୋଲି କହିବା ତାଙ୍କ ପକ୍ଷେ ସମୀଚୀନ ହେବ ନାହିଁ ବୋଲି ନନ୍ଦ କହିଛନ୍ତି।