ଜଳସଂକଟ ଦୂର କଲେ ରାମ୍‌ବୀର

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କାର ଚାକିରି ଛାଡ଼ି ନିଜ ଦେଶ ବା ଗାଁକୁ ଫେରି ଆସନ୍ତି । ଏଭଳି ଘଟଣା ଆଗରୁ ଅନେକଥର ସାମ୍ନାକୁ ଆସିସାରିଛି । ସେହିପରି ନୋଏଡ଼ାର ଜଣେ ଯୁବକ ନିଜ ଅଞ୍ଚଳରେ ଦେଖାଯାଉଥିବା ଜଳସଙ୍କଟକୁ ଦୂର କରିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ି ଦେଇଥିଲେ ବୋଲି ଜଣାପଡ଼ିଛି । ଶୁଖି ଯାଇଥିବା ବା ଅପରିଷ୍କାର ହୋଇ ରହିଥିବା ପୋଖରୀଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବାପାଇଁ ନୋଏଡ଼ାରେ ରହୁଥିବା ରାମ୍‌ବୀର ତନ୍‌ୱର ଏମ୍‌ଏନ୍‌ସିରୁ ଚାକିରି ଛାଡ଼ିଦେଇ ଗାଁରେ ହେଉଥିବା ଜଳସଙ୍କଟ ଦୂର କରିବା ପାଇଁ ଆଗଭର ହୋଇ ପଡ଼ିଛନ୍ତି । ୫ ବର୍ଷ ମଧ୍ୟରେ ସେ ୧୦ଟି ପୋଖରୀର ପୁନରୁଦ୍ଧାର କରିଥିବା ବେଳେ ଗାଁ-ଗାଁ ବୁଲି ସେ ଜଳ ସଂରକ୍ଷଣ କରିବାକୁ ଲୋକମାନଙ୍କୁ ସଚେତନ କରିଥିବା ଜଣାପଡ଼ିଛି ।
ରାମ୍‌ବୀର କହନ୍ତି, ମୁଁ ଛୋଟ ଥିବାବେଳେ ପାଣିର ବହୁ ବ୍ୟବହାର ହେଉଥିବା ଦେଖିଆସିଛି । ସେ ସମୟରେ ମୁଁ ଲୋକମାନଙ୍କୁ ଏପରି କରିବା ପାଇଁ ମନା କରିଥିଲେ ମଧ୍ୟ କେହି ମୋ କଥା ଶୁଣିନଥିଲେ । ୨୦୧୪ରେ ମୁଁ ମୋର ବି.ଟେକ୍‌ ପାଠପଢ଼ା ସାରି ୨୦୧୬ରେ ଏମ୍‌.ଟେକ୍‌ କରିଥିଲି । ପଢ଼ୁଥିବା ସମୟରୁ ହିଁ ମୁଁ ପାଣିର ସଠିକ୍‌ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇ ଆସୁଥିଲି । ବଡ଼ ବଡ଼ ସହରର ଲୋକେ ୨୦ ଟଙ୍କା ଦେଇ ଗୋଟେ ଲିଟର ପାଣି କିଣୁଥିବା ବେଳେ ଗାଁର ଲୋକମାନେ ହଜାର ହଜାର ଲିଟର ପାଣି ନଷ୍ଟ କରି ଦେଇଥାନ୍ତି । ଗାଁର ଏଭଳି ଅବସ୍ଥା ଦେଖି ମୁଁ ଘର ଘର ବୁଲି ପାଣିର ସଠିକ୍‌ ଉପଯୋଗ କରିବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ । ଧୀରେ ଧୀରେ ମୁଁ ଅପରିଷ୍କାର ହୋଇ ପଡ଼ିଥିବା ପୋଖରୀକୁ ସଫା କରିବାକୁ ଚିନ୍ତା କଲି । ଏବେ ପର୍ଯ୍ୟନ୍ତ ମୁଁ ୧୦ଟି ପୋଖରୀ ସଫା କରି ତା’ ପାଣିକୁ ବ୍ୟବହାର ଉପଯୋଗୀ କରିପାରିଛି ବୋଲି କହନ୍ତି ରାମ୍‌ବୀର ।