ଆଜି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ସଂଶୋଧନ ବିଲ୍

0

ନୂଆଦିଲ୍ଲୀ,୦୨/୦୪: ଆଜି ଲୋକସଭାରେ ମଧ୍ୟାହ୍ନ ୧୨ଟାରେ ୱାକଫ ସଂଶୋଧନ ବିଲ୍‌ ହେବ ଆଗତ । ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଏହାକୁ କରାଯିବ ଉପସ୍ଥାପନ । ୮ ଘଣ୍ଟା ଧରି ଆଲୋଚନା ହେବା ପରେ ଏହାକୁ ଗୃହୀତ କରାଯିବ । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହାର ସାଂସଦମାନଙ୍କ ପାଇଁ ହ୍ୱିପ୍‌ ଜାରି କରାଯାଇଛି । ଗୃହରେ ଉପସ୍ଥିତ ରହିବାକୁ ସମସ୍ତଙ୍କୁ କୁହାଯାଇଛି । ଏହି ସୂଚନା ଦେବା ପରେ ବିରୋଧୀ ଦଳଗୁଡ଼ିକ ବିଲ୍‌ ଉପରେ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରିଥିଲେ । ଆଲୋଚନା ସମୟ ବଢ଼ାଯାଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି । ମଙ୍ଗଳବାର ବିଏସି ବୈଠକ ବସିଥିଲା । ତେବେ ବିରୋଧୀ ଦଳଗୁଡ଼ିକ ବୈଠକ ଛାଡ଼ି ଅଧାରୁ ପଳାଇଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ସରକାର ନିଜ ଏଜେଣ୍ଡାକୁ ଲଦିଦେବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ସଦସ୍ୟଙ୍କ କଥା ଶୁଣିବାକୁ ସେମାନେ ପ୍ରସ୍ତୁତ ନାହାନ୍ତି । ୱାକଫ ସଂଶୋଧନ ବିଲ୍‌ରେ ଥିବା ପ୍ରସ୍ତାବକୁ ଆମେ ବିରୋଧ କରୁଛୁ । ଲୋକସଭାରେ ଗଣତନ୍ତ୍ରର ସ୍ୱରକୁ ଚାପି ଦିଆଯାଉଥିବା ସମଗ୍ର ଦେଶ ଦେଖୁଛି । ଆମେ ଲୋକସଭାରୁ କକ୍ଷତ୍ୟାଗ କରିଛୁ । ସରକାରଙ୍କ ମନରେ କ’ଣ ଅଛି ଆମେ ତାହା ଜାଣିନାହୁଁ । ଗୋଗୋଇ ଆହୁରି କହିଛନ୍ତି, ଏପିକ୍‌ କାର୍ଡ, ମଣିପୁର ପ୍ରସଙ୍ଗ ଓ ୱାକଫ ସଂଶୋଧନ ବିଲ୍‌ ଆଦି ନେଇ ଚର୍ଚ୍ଚା ଲାଗି ସମସ୍ତ ବିରୋଧୀ ଦଳ ଦାବି କରିଥିଲେ । ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ସଂସଦ ବିରୋଧୀଙ୍କ ପାଇଁ ମଧ୍ୟ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ସରକାର କୌଣସି ଆଲୋଚନାକୁ ଅନୁମତି ଦେଉନାହାନ୍ତି । ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମେ ବାଧ୍ୟ ହୋଇ ବିଏସି ବୈଠକକୁ ଅଧାରୁ ଛାଡ଼ି ବାହାରି ଆସିଥିଲୁ । ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି କହିଛନ୍ତି, ୱାକଫ ସଂଶୋଧନ ବିଲ୍‌ ଅସାମ୍ବିଧାନିକ । ଅନ୍ୟପକ୍ଷରେ ୱାକଫ ବିଲ୍‌ ଆଲୋଚନାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଭାଗ ନେବେ । କିନ୍ତୁ ଏହାକୁ ସେମାନେ ପାରୁ ପର୍ଯ୍ୟନ୍ତ ବିରୋଧ କରିବେ । ବିଲ୍‌ ବିରୋଧରେ ଭୋଟ ଦେବେ । ଆଜି ଇଣ୍ଡିଆ ମେଣ୍ଟର ଏକ ବୈଠକରେ ବିରୋଧୀ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନ୍‌ଡିଏ ପାଖରେ ଏବେ ୨୯୩ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ବିଲ୍‌ ଗୃହୀତ କରାଇବାରେ କୌଣସି ଅସୁବିଧା ହେବ ନାହିଁ । ଏନ୍‌ଡିଏ ସାଂସଦଙ୍କ ମଧ୍ୟରୁ ବିଜେପିର ୨୪୦ ସାଂସଦ ରହିଥିଲା ବେଳେ ଟିଡିପିର ୧୬, ଜେଡିୟୁର ୧୨, ଶିବସେନା (ସିନ୍ଦେ ଗୋଷ୍ଠୀ)ର ୭, ଏଲ୍‌ଜେପିର ୫, ଆରଏଲ୍‌ଡିର ୨, ଜେଡିଏସ୍‌ର ୨, ଜନସେନା ପାର୍ଟିର ୨ ଏବଂ ଅନ୍ୟାନ୍ୟ ଛୋଟ ସହଯୋଗୀ ଦଳର ୭ ଜଣ ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.