IPL : ଆଜି ଦିଲ୍ଲୀ-ଚେନ୍ନାଇ ଫାଇଟ

0

ନୂଆଦିଲ୍ଲୀ,୦୫/୦୪: ଆଇପିଏଲ୍‌ର ୧୭ତମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାର ସୁଯୋଗ ରହିଛି । ଫଳରେ ଚିପକ୍‌ ଷ୍ଟାଡ଼ିୟମ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ସିଜନ ଆରମ୍ଭରୁ ଚିପକ ଷ୍ଟାଡ଼ିୟମ୍‌ର ପିଚ୍‌କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ସୁପରକିଙ୍ଗ୍‌ସ ଏହି ଗ୍ରାଉଣ୍ଡ୍‌ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳି ସାରିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ହାସଲ କରିଥିଲେ ହେଁ ସୁପରକିଙ୍ଗ୍‌ସକୁ ସଂଘର୍ଷ କରିବାକୁ ପଡ଼ିଥିଲା । ମାତ୍ର ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦଳ ପରାଜିତ ହୋଇଥିଲା । କୋଚ୍‌ ଷ୍ଟିଫାନ ଫ୍ଲେମିଂ ପିଚ୍‌କୁ ସମାଲୋଚନା କରିଥିଲେ । ଦ୍ୱିତୀୟ ଭାଗରେ ପିଚ୍‌ ମନ୍ଥର ହେଉଥିବାରୁ ବ୍ୟାଟିଂ କଷ୍ଟକର ହେଉଛି । ଆଜି ଅପରାହ୍ଣରେ ମ୍ୟାଚ୍‌ ଥିବାରୁ ଚିପକ ଷ୍ଟାଡ଼ିୟମ୍‌ର ମନ୍ଥର ପିଚ୍‌ରେ ସ୍ପିନ୍‌ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉଭୟ ଦଳର ରିଷ୍ଟ ସ୍ପିନର ନଜରରେ ରହିବେ । ସୁପରକିଙ୍ଗ୍‌ସ ପକ୍ଷରୁ ଏଥର ଖେଳୁଥିବା ନୂର ଅହମ୍ମଦ ପ୍ରଥମ ୩ଟି ମ୍ୟାଚ୍‌ରୁ ୯ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ୨ଟି ମ୍ୟାଚ୍‌ରୁ ୫ଟି ୱିକେଟ୍‌ ନେଇଛନ୍ତି । ସୁପରକିଙ୍ଗ୍‌ସର ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଚମକ ଦେଖାଇ ନାହାନ୍ତି । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଲୟକୁ ଫେରିବାକୁ ସଂଘର୍ଷ କରୁଛି । ଓପନର ଭାବେ ରାହୁଲ ତ୍ରିପାଠୀ ମଧ୍ୟ ନିରାଶ କରିଛନ୍ତି । ଅଧିନାୟକ ଋତୁରାଜ ଗାଏକୱାଡ୍‌ ଆହତ ହେବା ପରେ ଦଳର ଚିନ୍ତା ବଢ଼ି ଯାଇଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ସବୁ ଖେଳାଳି ଫର୍ମରେ ରହିଛନ୍ତି । କେଏଲ ରାହୁଲ ଫେରିବା ପରେ ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । ଉଭୟ ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଥିବାରୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହେଉଛି ।

ସୁପରକିଙ୍ଗ୍‌ସ: ରଚିନ ରବିନ୍ଦ୍ର, ଡେଭନ କନୱେ, ରାହୁଲ ତ୍ରିପାଠୀ, ଋତୁରାଜ ଗାଏକୱାଡ (ଅଧିନାୟକ), ଶିବମ ଦୁବେ, ବିଜୟ ଶଙ୍କର, ରବିନ୍ଦ୍ର ଜାଡ଼େଜା, ମହେନ୍ଦ୍ର ସିଂହ ଧୋନି, ଅଂଶୁଲ କାମ୍ବୋଜ, ଆର ଅଶ୍ୱିନ, ଖଲିଲ ଅହମ୍ମଦ, ନୂର ଅହମ୍ମଦ, ମଥିଶା ପତିରଣା ।

ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ ଡୁ ପ୍ଲେସି, ଜେକ ଫ୍ରେଜର-ମ୍ୟାକ ଗର୍କ, ଅଭିଷେକ ପୋରେଲ/ କରୁଣ ନାଏର, କେଏଲ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, କୁଲଦୀପ ଯାଦବ, ମିଚେଲ ଷ୍ଟାର୍କ, ମୁକେଶ କୁମାର, ମୋହିତ ଶର୍ମା/ଟି ନଟରାଜନ ।

Leave A Reply

Your email address will not be published.