ନଭୁବନେଶ୍ୱର, ୦୮/୦୪ : ୱାକଫ୍ ବିଲ୍ କୁ ନେଇ ଏବେ ବିଜେଡି ମଧ୍ୟରେ ଅଦିନିଆ ଝଡ଼ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ଦଳର କିଛି ବରିଷ୍ଠ ନେତାମାନେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଉଥିବେଳେ ସେପଟେ ଶାନ୍ତିରେ ବସି ରହିଛନ୍ତି ମୁଖିଆ । ଏହାରି ମଧ୍ୟରେ ବିଜେପି ବିଧାୟକ ବାବୁ ସିଂ ପୁଣି ଏକ ବାଣ ମାରିଛନ୍ତି । ବାବୁ ସିଂ କହିଛନ୍ତି ଏ କାର୍ଯ୍ୟକ୍ରମ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଏହାର ମୁଖ୍ୟ ନାୟକ ଓ ଖଳନାୟକ ହେଉଛନ୍ତି ନବୀନ ବାବୁ । ଯାହା ହେଉଛି ସବୁ ନବୀନଙ୍କ ଇଶାରାରେ ହେଉଛି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି । ଯାହା ସହିତ ଖାଉଛନ୍ତି ବସୁଛନ୍ତି ତାହାର ପକ୍ଷ କାଟିଦେବେ । ତେଣୁ ନବୀନ ଜଣେ ସାଇଲେଣ୍ଟ୍ କିଲର୍ ବୋଲି କହି ସମାଲୋଚନା କରିଛନ୍ତି । ବିଜେଡ଼ି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଦଳରେ ସବୁ କିଛି ଠିକ୍ ଚାଲିଛି କହି ଦଳର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସଭାପତିଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ବ୍ୟତିକ୍ରମ ହୋଇଗଲା ବୋଲି ସେ କହିଛନ୍ତି । ବିଜେଡ଼ିରେ ସମସ୍ତେ ନିଜ ମତାମତ ଦେବାରେ ସ୍ୱାଧୀନ ଅଟନ୍ତି । ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରଶ୍ନରେ ସେ କହିଛନ୍ତି ଏ ନିଷ୍ପତ୍ତି ଦଳର ସୁପ୍ରିମୋ ନେବେ । ସେହିପରି ପାଣ୍ଡିଆନଙ୍କୁ ନେଇ ଏକ ପ୍ରଶ୍ନରେ ପାଣ୍ଡିଆନ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ ହିଁ ସବୁକିଛି, କହିଛନ୍ତି ସମ୍ବିତ ରାଉତରାୟ । ଶଙ୍ଖ ଭବନରେ ଆଜି ଦଳର ବରିଷ୍ଠ ନେତାମାନେ ମେଳି କରିଥିଲେ । ପ୍ରତାପ ଦେବ, ଅରୁଣ ସାହୁ, ଅନଙ୍ଗଉଦୟ ସିଂଦେଓ ପ୍ରମୁଖ ପହଁଚିଥିଲେ । ସସ୍ମିତ ପାତ୍ର ନୁହେଁ ବରଂ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିବା କହିଛନ୍ତି ଅରୁଣ ସାହୁ । ଅନ୍ୟପକ୍ଷରେ ଅଂଶୁମାନ ମହାନ୍ତିଙ୍କ ବାସଭବନରେ ପୂର୍ବତନ ବିଧାୟକମାନେ ବୈଠକ କରିଥିବା ଦେଖିବାକୁ ମିଳିଥିଲା ।