ନୂଆଦିଲ୍ଲୀ, ୦୯/୦୪ : ମୋଦୀ ଓ ଶାହାଙ୍କ ଗଡରେ କଂଗ୍ରେସର ମହାଅଧିବେଶନ । କଂଗ୍ରସର ଅଢ଼େଇ ହଜାରରୁ ଅଧିକ ନେତା,ମନ୍ତ୍ରୀ,ଶୀର୍ଷ ନେତୃବୃନ୍ଦଙ୍କୁ ନେଇ ଚଳଚଞ୍ଚଳ ଗୁଜରାଟର ଅହମଦାବାଦ ସ୍ଥିତ ସାବରମତୀ ଆଶ୍ରମ । ୬୪ବର୍ଷ ପରେ ପ୍ରଥମଥର ପାଇଁ ଦଳ ଏଠାରେ ମହା ଅଧିବେଶନର ଆୟୋଜନ କରିଛି । ବିଶାଳ ସମାବେଶରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ତୁଙ୍ଗନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ମୋଦୀ ଓ ଶାହାଙ୍କ ଗଡ଼ରେ କାର୍ଯ୍ୟକ୍ରମ ଆୟୋଜନ କରି ଦଳ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛି । ଗୁଜରାଟର ସ୍ଥାନୀୟ ସମସ୍ୟାଠୁ ନେଇ ୱାକଫ୍ ବିଲ, ଆମେରିକାର ଟାରିଫ, ଜାତିଭିତିକ ଜନଗଣନା, ,ଦେଶର ଆର୍ଥିକ ସ୍ଥିତି, ସମ୍ବିଧାନକୁ ବିଜେପି ଓ ଆରଏସଏସ ଦୁର୍ବଳ କରୁଥିବା ଅଭିଯୋଗ, ନିର୍ବାଚନରେ ଭୋଟର ତାଲିକାରେ ଗଡବଡ ଅଭିଯୋଗ ସହ ସରକାରଙ୍କୁ ଟାର୍ଗେଟ କରିଛି । ରାଜ୍ୟକୁ ହାତମୁଠାକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ କନ୍ଦଳ,ମତଭେଦକୁ ଦୂର କରିବ ଏକୁଟିଆ ନୁହେଁ ଏକାଠି ନେଇ ଚାଲିବା ଉପରେ ଫୋକସ କରୁଛି । ଗତମାସରେ ରାହୁଲ ଗୁଜରାଟ ଗସ୍ତ କରି ଦଳର ଭିତିରି ଫାଟକୁ ପଦାକୁ ଆଣିବା ସହ କର୍ମୀଙ୍କ ତାଗିଦ କରିସାରିଛନ୍ତି ଆଉ ଏବେ ମହାଅଧିବେଶନରେ ଶକ୍ତିପ୍ରଦର୍ଶନ କରିଛି । ସେପଟେ କଂଗ୍ରେସ କାର୍ଯ୍ୟକ୍ରମର ଏକ ଭିଡିଓକୁ ପୋଷ୍ଟ କରି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ।ଯେଉଁଥିରେ କଡ଼ରେ ଖଡ଼ଗେ ବସିବାକୁ ନେଇ ଦଳକୁ କଟାକ୍ଷ କରିଛି ବିଜେପି । ଦଳର ଅଧ୍ୟକ୍ଷ ତଥା ବରିଷ୍ଠ ନେତାଙ୍କୁ ମୁଖ୍ୟ ଚୌକି ନଦିଆଇ କାହିଁକି ରାହୁଲ ମଝିରେ ବସିଛନ୍ତି ବୋଲି ପ୍ରଶ୍ନ କରାଯାଇଛି ।