ନୂଆଦିଲ୍ଲୀ, ୧୬/୦୪ : ଟ୍ରେନ ଯାତ୍ରା ବେଳେ କୌଣସି ଖାଇବା ଜିନିଷ କିଣିବା ବେଳେ ଡିଜିଟାଲ ପେମେଣ୍ଟରେ ସମସ୍ୟା ଦେଖାଯାଏ। ଅନେକ ସମୟରେ ନଗଦ ଟଙ୍କାର ଆବଶ୍ୟକ ପଡ଼ୁଥିବା ବେଳେ ଯାତ୍ରୀମାନେ ଏଥିଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବିଶେଷ କରି ଦୂର ରାସ୍ତାକୁ ଯାତ୍ରା କରିବା ବେଳେ ଏପରି ସମସ୍ୟା ଅଧିକ ଦେଖାଯାଏ। କାରଣ ଟ୍ରେନ ଯାତ୍ରା ବେଳେ ମଧ୍ୟ ଯାତ୍ରୀମାନେ ଏଟିଏମରୁ ଟଙ୍କା ଉଠାଣ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଭାରତ ଇତିହାସରେ ଏପରି ଘଟଣା ଘଟିଛି। ପ୍ରଥମଥର ପାଇଁ ଟ୍ରେନରେ ଏଟିଏମ ଖଞ୍ଜା ଯାଇଛି। ମୁମ୍ବାଇ-ମନମାଦ ପଞ୍ଚବାଟି ଏକ୍ସପ୍ରେସରେ ପ୍ରଥମଥର ପାଇଁ ଏଟିଏମ ଇନଷ୍ଟଲ କରାଯାଇଛି। ଏହି ଏଟିଏମରୁ ଲୋକମାନେ ନଗଦ ଟଙ୍କା ମଧ୍ୟ ଯାତ୍ରା ବେଳେ ଉଠାଇ ପାରିବେ। ଏଟିଏମକୁ ଏକ୍ସପ୍ରେସ ଟ୍ରେନର ଗୋଟିଏ ଏୟାର କଣ୍ଡିସନ କୋଚରେ ଲଗାଯାଇଛି। ଏହାର ସଫଳ ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି। ଟ୍ରେନ ଚାଲିବା ସମୟରେ ଯାତ୍ରୀମାନେ ଏଣିକି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାର ସୁବିଧା ପାଇପାରିବେ। ଲୋକମାନେ ଏଣିକି ଟ୍ରେନରେ ଯାତ୍ରା କରିବା ବେଳେ ମଧ୍ୟ ଟଙ୍କା ଉଠାଇ ପାରିବେ। ଆମେ ମେସିନ କେମିତି କାମ କରୁଛି, ତା’କୁ ନିୟମିତ ସମୀକ୍ଷା କରିବୁ। ଏଟିଏମ ଏସି କୋଚରେ ଲାଗିଥିଲେ ହେଁ ଏହାର ସେବା ପଞ୍ଚବାଟି ଏକ୍ସପ୍ରେସର ସମସ୍ତ ୨୨ଟି ଯାକ କୋଚରେ ଯାତ୍ରା କରୁଥିବା ଲୋକମାନେ ପାଇ ପାରିବେ। ଏଟିଏମ ଲାଗିଥିବା କୋଚକୁ ଯାଇ ଯାତ୍ରୀମାନେ ଟଙ୍କା ଉଠାଇବାରେ କୌଣସି ସମସ୍ୟା ନାହିଁ। କୌତୁହଳର ବିଷୟ ହେଲା ଯେ ମୁମ୍ବାଇ-ହିଙ୍ଗୋଲି ଜନ ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀମାନେ ମଧ୍ୟ ଏହି ଏଟିଏମର ସେବା ପାଇ ପାରିବେ। କାରଣ ପଞ୍ଚବାଟି ଏକ୍ସପ୍ରେସର ବଗି ଜନ ଶତାବ୍ଦୀରେ ମଧ୍ୟ ଲାଗିଥାଏ। ଏହାର ଅର୍ଥ ଦୂର ବାଟକୁ ଯାତ୍ରା କରୁଥିବା ଅଧିକରୁ ଅଧିକ ଯାତ୍ରୀ ଏଟିଏମ ସେବା ପାଇ ପାରିବେ।