ଭୁବନେଶ୍ୱର, ୧୬/୦୪ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ପ୍ରତିବାଦ କରିଛି କଂଗ୍ରେସ । ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ଇଡି କାର୍ଯ୍ୟାଳୟ ଘେରାଉ କରିଛି ଦଳ । ରାଜ୍ୟ କଂଗ୍ରେସ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ବହୁ ବରିଷ୍ଠ ନେତା । ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ସାଂସଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ନାମରେ ମିଛ ଅଭିଯୋଗ ଫର୍ଦ୍ଦ ଦାୟର କରିଛି । ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ନେତାମାନେ ଇଡି ଅଫିସ ଘେରାଉ କରିବା ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ଧରି ବିକ୍ଷୋଭକାରୀ ଏବଂ ସୁରକ୍ଷା କର୍ମୀ ଧସ୍ତାଧସ୍ତି ହେବାର ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ବିକ୍ଷୋଭରେ ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ ଓ ଜୟଦେବ ଜେନା ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରକ୍ଷକ ହୋଇ ଭକ୍ଷକ ପାଲଟିଥିଲେ । ଏସବୁ ସ୍ପଷ୍ଟ ଦିବାଲୋକରେ ହୋଇଛି । ତେଣୁ ଆଇନରେ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା ୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ହାତେଇ ଥିଲେ । ଏହା ପୃଥିବୀରେ ଅଷ୍ଟମ ଆଶ୍ଚର୍ଯ୍ୟ ଘଟଣା । ଯିଏ ବିକିଲେ, ସିଏ କିଣିଲେ । ସେଇ ଗୋଟିଏ ଲୋକ ସବୁ କଲେ । ସେ ହେଲେ ମୋତିଲାଲ ଭୋରା । ଏକ ସମ୍ବାଦ ସରବରାହ ସଂସ୍ଥାକୁ ଚଞ୍ଚକତା କରି ଲୁଟିଛନ୍ତି । ଏହା କଂଗ୍ରେସର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ସବୁଠାରୁ ବଡ଼ କଥା ହେଲା ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ଥିବା ବେଳେ ଏସବୁ କଥା ଘଟିଛି। ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି । ୨୦୦୪ରୁ ୨୦୧୪ ଯାହା ବାକି ଥିଲା କରିଥିଲେ । ଏ ସବୁ କ୍ଷମତା ଲୋଭରେ ଅନ୍ଧ ହୋଇ କରିଥିଲେ । ଏହା କଂଗ୍ରେସର ଏଟିଏମ ଥିଲା ବୋଲି କଟାକ୍ଷ କରିଛନ୍ତି ବିଜେପି ସଭାପତି ।