ନୂଆଦିଲ୍ଲୀ, ୨୦/୪ : ଆସନ୍ତାକାଲି ଠାରୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ । ପତ୍ନୀ ଉଷା ଭାନ୍ସ ଓ ୩ ସନ୍ତାନ ମଧ୍ୟ ଜେଡି ଭାନ୍ସଙ୍କ ସହ ଆସୁଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଦିଲ୍ଲୀରେ ପହଞ୍ଚିବେ ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳେ ଭାରତରେ ପହଞ୍ଚିବା ପରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । । ଆଲୋଚନା ବେଳେ ୨ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟିକ ସଂପର୍କ ଉପରେ ଫୋକସ୍ ରହିବ । ଆଲୋଚନା ପରେ ଉପରାଷ୍ଟ୍ରପତି ଭାନ୍ସ ଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରିଛନ୍ତି । ଭାରତ ଗସ୍ତ ସମୟରେ ଦିଲ୍ଲୀ ସ୍ଥିତ ସ୍ବାମୀ ନାରାୟଣ ଅକ୍ସରଧାମ ମନ୍ଦିର, ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜେଡି ଭାନ୍ସଙ୍କ ପତ୍ନୀ ଉଷା ଭାନ୍ସ ଜଣେ ଭାରତୀୟ ବଂଶୋଦ୍ଭବ ।ତେବେ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ ବିବାଦ ଭିତରେ ଜେଡି ଭାନ୍ସଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ବ ରଖୁଛି ।