ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ଭାରତ ସରକାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି । ଏ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ( ସିସିଏସ)ର ବୈଠକ ଆରମ୍ଭ ହୋଇଛି । ଖୋଦ ପ୍ରଧାନମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରୁଛନ୍ତି ଓ ଏହି ବୈଠକରେ ଉପସ୍ଥିତ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତିନି ସେନା ମୁଖ୍ୟ, କ୍ୟାବିନେଟ ସଚିବ, ପ୍ରତିରକ୍ଷା ସଚିବ ଓ ଆଉ କେତେକ ବରିଷ୍ଠ ଅଧିକାରୀ ।
ସୂଚନାଯୋଗ୍ୟ ଯେ ସିସିଏସ ହେଉଛି ଭାରତର ସୁରକ୍ଷା ସଂପର୍କିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ କମିଟି । ଦେଶର ରାଷ୍ଟ୍ରୀୟ ସୁରକ୍ଷା, ପ୍ରତିରକ୍ଷା ଓ ରଣନୈତିକ ନିଷ୍ପତ୍ତି ଏହି କମିଟି ହିଁ ନେଇଥାଏ । ଏହି କମିଟିର କ୍ଷମତା ଏହି ଦିଗରୁ କଳନା କରାଯାଇପାରେ ଯେ ଏହା ଅଧିନରେ ଦେଶର ନ୍ୟୁକ୍ଲିୟର କମାଣ୍ଡ ଅର୍ଥରିଟି ରହିଛି । ସରକାର ଏହି କମିଟିର ବୈଠକ ଡକାଇବା ଅର୍ଥ ହେଉଛି ସରକାର ଆଗକୁ ପାକିସ୍ତାନ ବିରୋଧରେ କୌଣସି ବଡ଼ ଧରଣ ନିଷ୍ପତ୍ତି ନେଇପାରନ୍ତି ।