ଜମ୍ମୁ-କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୭/୦୪ : ଜମ୍ମୁ-କଶ୍ମୀର କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି । ମୃତ ବ୍ୟକ୍ତି ଜଣକ ହେଲେ ୪୫ ବର୍ଷୀୟ ଗୁଲାମ ରସୁଲ ମାଗ୍ରେ । ସେ କଣ୍ଡିଖାସର କୁପଓ୍ବାଡାରେ ରହୁଥିଲେ । ଏହି ଘଟଣା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଖୋଜିବା ସହ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତାଙ୍କ ପେଟ ଏବଂ ବାମ ହାତରେ ଗୁଳି ବାଜିଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା ଲକ୍ଷ୍ୟରେ, ପୋଲିସ ଦଳ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ୬୩ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲେ । ଯେଉଁମାନଙ୍କ ଘରେ ଚଢାଉ କରାଯାଇଥିଲା ସେମାନଙ୍କ ଉପରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ଅଭିଯୋଗ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଆତଙ୍କବାଦ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ।