ରାଜ୍ୟରେ ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା : ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୨୮/୦୪: କାଳବୈଶାଖୀ ଯୋଗୁ ରାଜ୍ୟରେ ପାଗ ବଦଳିଛି । କିଛିଟା ଆଶ୍ୱସ୍ତି ମିଳିଛି । ଆଜି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ଆଗକୁ ଦିନ ତାପମାତ୍ରା ଆହୁରି କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ ଦିନର ତାତି ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ପବନର ଝଟ୍‌କା ୫୦ରୁ ୬୦ କିମି ବେଗ ଯାଏ ଛୁଇଁପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି । କେବଳ ଏହି ୯ଟି ଜିଲ୍ଲା ନୁହେଁ, ବାକି ଜିଲ୍ଲାରେ ବି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜୋର୍‌ରେ ପବନ ବହିବା ସହ ପବନର ଝଟ୍‌କା ୪୦ରୁ ୫୦ କିମି ଯାଏ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।