IPL :  ଆଜି ରାଜସ୍ଥାନ ରୟାଲ୍ସ-ଗୁଜରାଟ ଟାଇଟନ୍ସ ଲଢ଼େଇ

ନୂଆଦିଲ୍ଲୀ, ୨୮/୦୪ : ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ସାମ୍ନାସାମ୍ନି ହେବେ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସଦୃଶ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ଜରୁରୀ । ଫଳରେ ଆଜି ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ଗତ ୯ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଗୁଜରାଟ ଟାଇଟନ୍ସ ୫୮ରନ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ଏଥର ରାଜସ୍ଥାନ ରୟାଲ୍ସ ତା’ର ଘରୋଇ ଗ୍ରାଉଣ୍ଡ ସୱାଇ ମାନସିଂହ ଷ୍ଟାଡିୟମରେ ଖେଳିବ । ଫଳରେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି । ପୂର୍ବ ରେକର୍ଡ଼ ଗୁଜରାଟ ଟାଇଟନ୍ସ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଗୁଜରାଟ ଟାଇଟନ୍ସ ୬ଟି ଓ ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚ୍‌ ଜିତିଛି । ଗୁଜରାଟ ଟାଇଟନ୍ସ ୮ଟିରୁ ୬ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ଦଳ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ଓପନିଂ ଯୋଡ଼ି ସାଇ ସୁଦର୍ଶନ, ଶୁଭମନ ଗିଲ୍‌ଙ୍କ ସମେତ ଜୋସ ବଟଲର ଜବରଦସ୍ତ ଫର୍ମରେ ରହିଛନ୍ତି । ସୁଦର୍ଶନ ଓ ଗିଲ୍‌ ମୋଟ ୪୪୮ରନ୍‌ର ଭାଗିଦାରୀ ଗଠନ କରି ସାରିଛନ୍ତି । ସୁଦର୍ଶନ ୮ଟି ମ୍ୟାଚ୍‌ ଖେଳି ୪୧୭ରନ୍‌ କରିସାରିଲେଣି । ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚ୍‌ରୁ ୪ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିବାରେ ବିଫଳ ହୋଇଛି । ନିୟମିତ ଅଧିନାୟକ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଫିଟ୍‌ ହୋଇନାହାନ୍ତି । ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି । ବୋଲିଂ ବିଭାଗ ମଧ୍ୟ ସେଭଳି କମାଲ ଦେଖାଇ ପାରିନାହାନ୍ତି । ଆସନ୍ତାକାଲି ତୁଷାର ଦେଶପାଣ୍ଡେଙ୍କ ସ୍ଥାନରେ ଆକାଶ ମଧୱାଲ ସୁଯୋଗ ପାଇପାରନ୍ତି ।

ରାଜସ୍ଥାନ ରୟାଲ୍ସ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ନୀତିଶ ରାଣା, ରିୟାନ ପରାଗ (ଅଧିନାୟକ), ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, ସନ୍ଦିପ ଶର୍ମା, ଜୋଫ୍ରା ଆର୍ଚର, ଫଜଲହକ୍‌ ଫାରୁକି, ତୁଷାର ଦେଶପାଣ୍ଡେ/ଆକାଶ ମଧୱାଲ୍‌ ।

ଗୁଜରାଟ ଟାଇଟନ୍ସ: ବି ସାଇ ସୁଦର୍ଶନ, ଶୁଭମନ ଗିଲ୍‌ (ଅଧିନାୟକ), ଜୋସ ବଟଲର, ସେରଫାନ୍‌ ରଦରଫୋର୍ଡ, ଏମ୍‌ ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ ଖାନ, ୱାସିଂଟନ ସୁନ୍ଦର, ଆର୍‌ ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଈଶାନ୍ତ ଶର୍ମା ।