ଜର୍ମାନୀରେ କ୍ରୀଡ଼ା-୨୦୨୫ : କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ

ଭୁବନେଶ୍ୱର, ୧୧/୦୭ : ଆସନ୍ତା ୧୬ ରୁ ୨୭ ତାରିଖ ପର୍ଯ୍ୟନ୍ତ ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ଓଡ଼ିଶାର ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଜଣେ ଲେଖାଏଁ ଖେଳାଳି ହୋଇଥିବା ବେଳେ ଓଡ଼ିଶାରୁ ମୋଟ ୪୨ଜଣ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ଖେଳାଳି ମନୋନୀତ ହୋଇଥିବା ବେଳେ ସମଗ୍ର ଭାରତରେ କିଟ୍‍ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜ୍ୟ ହିସାବରେ ପଞ୍ଜାବ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତବର୍ଷ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଦେଶର ୪ଶହ ବିଶ୍ୱବିଦ୍ୟାଳୟ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‍ ହୋଇଥିବା ବେଳେ ୬୧ଟି ବିଶ୍ୱବିଦ୍ୟାଳୟରୁ ୩ଶହ ଶ୍ରେଷ୍ଠ କ୍ରୀଡ଼ାବିତ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଚୟନ କରାଯାଇଥିଲା ।

କିଟ୍ ର ୪୦ ଜଣ ଖେଳାଳି ୭ଟି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତର କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା ଏତେ ସଂଖ୍ୟକ ଖେଳାଳି ପ୍ରତିନିଧିତ୍ୱ କରିବା ଏହା ହେଉଛି ପ୍ରଥମ । କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ କରିବା ପାଇଁ ଦଳରେ କ୍ରୀଡ଼ା ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୧୦୭ଜଣ ଏହି ଗସ୍ତରେ ସାମିଲ ହୋଇଛନ୍ତି । ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିବା କ୍ରୀଡ଼ା ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ରାହୁଲ ବାନାର୍ଜୀ, ଜାତୀୟ ତୀରନ୍ଦାଜ ପ୍ରଶିକ୍ଷକ ସୁରିନ୍ଦର ସିଂହ, ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକ ବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ ।
୨୦୧୯ଠାରୁ ୨୦୨୫ ପର୍ଯ୍ୟନ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟରେ କିଟ୍‍ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏବଂ ପଞ୍ଜିକରଣ ପାଇଁ ଆବଶ୍ୟକ ଫି ମଧ୍ୟ କିଟ୍‍ ପକ୍ଷରୁ ଆଗୁଆ ପଇଠ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।