ଭୁବନେଶ୍ୱର, ୩୧/୦୭ : ଅଗଷ୍ଟ ୧ରୁ ହେବାକୁ ଯାଉଛି ଏହିସବୁ ପରିବର୍ତ୍ତନ । ଏଥିରେ କ୍ରେଡିଟ କାର୍ଡ ସହ ଜଡିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଏବଂ UPI ଟ୍ରାଞ୍ଜାକ୍ସନ ସମ୍ବନ୍ଧୀୟ ଅନେକ ନୂଆ ନିୟମ ସାମିଲ ରହିଛି । ଏହା ବ୍ୟତୀତ, କିଛି ବ୍ୟାଙ୍କିଂ ସର୍ଭିସରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ୧ ତାରିଖରେ ହେଉଥିବା କିଛି ବଡ଼ ପରିବର୍ତ୍ତନ ଆପଣଙ୍କ ମାସିକ ବଜେଟକୁ ପ୍ରଭାବିତ କରିପାରେ, ତେଣୁ ଆସନ୍ତୁ ଜାଣିବା କେଉଁ ୬ଟି ବଡ଼ ପରିବର୍ତ୍ତନ ହୋଇପାରେ ।
UPIରେ ହେବାକୁ ଯାଉଛି ପରିବର୍ତ୍ତନ: UPI ୟୁଜର୍ସଙ୍କ ଏକ୍ସପେରିଏନ୍ସକୁ ଉନ୍ନତ କରିବା ଏବଂ ଆପ୍ ଉପରେ ଅନାବଶ୍ୟକ ଲୋଡ୍ କମ୍ କରିବା ପାଇଁ National Payments Corporation of India (NPCI) Paytm, PhonePe ଏବଂ Google Pay ଭଳି UPI ଆପଗୁଡ଼ିକରେ ଲିମିଟ୍ ଲଗାଇବାକୁ ଯାଉଛି । ଏହି ନୂଆ ପରିବର୍ତ୍ତନ ଅନୁଯାୟୀ, ୟୁଜର୍ସମାନେ ଆଉ ୫୦ ଥରରୁ ଅଧିକ ଥର ସେମାନଙ୍କର ଆକାଉଣ୍ଟ ବାଲାନ୍ସ ଚେକ୍ କରିପାରିବେ ନାହିଁ ।
ଅଟୋ-ପେ ପାଇଁ ଟାଇମ୍ ସ୍ଲଟ୍ ମଧ୍ୟ ସ୍ଥିର କରାଯାଇଛି । ତାହା ହେଉଛି ସକାଳ ୧୦ଟା ପୂର୍ବରୁ , ଅପରାହ୍ନ ୧ରୁ ସନ୍ଧ୍ୟା ୫ଟା ଯାଏଁ , ଏବଂ ରାତି ୯.୩୦ ପରେ । ସେହିପରି ଟ୍ରାଞ୍ଜାକ୍ସନ ସଫଳ ହେଲା କି ନାହିଁ, ତାହା ଆପଣ ୧ ଦିନରେ ୩ ଥର ଚେକ କରିପାରିବେ ଏବଂ ପ୍ରତିଥର ଚେକ କରିବା ଭିତରେ ୯୦ ସେକେଣ୍ଡ ବ୍ୟବଧାନ ରହିବ । ଏହି ସବୁ ନିୟମ ସମସ୍ତ UPI ୟୁଜର୍ସଙ୍କ ପାଇଁ ପ୍ରଯୁଜ୍ୟ ହେବାକୁ ଯାଉଛି ।
ଏଲପିଜି ମୂଲ୍ୟରେ ପରିବର୍ତ୍ତନ: ପ୍ରତିମାସ ଭଳି ଅଗଷ୍ଟ ମାସରେ ମଧ୍ୟ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମରେ ପରିବର୍ତ୍ତନ ହୋଇପାରେ । ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପ୍ରତି ମାସରେ ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ଗତ ମାସରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ହ୍ରାସ କରାଯାଇଥିଲା । ଏହା ଆଶା ସୃଷ୍ଟି କରିଛି ଯେ ଏଥର ଘରୋଇ ଏଲପିଜିର ମୂଲ୍ୟ ହ୍ରାସ ପାଇବ । ସରକାର ଅଗଷ୍ଟ ୧ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରିବେ ବୋଲି ଆଶା କରାଯାଉଛି, ଯାହା ଆପଣଙ୍କ ପକେଟକୁ ପ୍ରଭାବିତ କରିପାରେ ।
ବଢ଼ିପାରେ CNG ଏବଂ PNG ର ମୂଲ୍ୟ : ୯ ଏପ୍ରିଲ ପରଠାରୁ CNG ଏବଂ PNG ର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଅଗଷ୍ଟ ୧ ରୁ ଏଗୁଡ଼ିକର ମୂଲ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଏଗୁଡ଼ିକର ମୂଲ୍ୟ ବୃଦ୍ଧି ପାଏ, ତେବେ ଯାତାୟାତ ଏବଂ ରୋଷେଇ ଘରର ଖାଦ୍ୟ ଖର୍ଚ୍ଚ ବଢ଼ିପାରେ । କାରଣ ଏହି ଗ୍ୟାସଗୁଡ଼ିକ ଅଟୋ, କ୍ୟାବ୍ ଏବଂ ଗ୍ୟାସ୍ ପାଇପଲାଇନରେ ବ୍ୟବହୃତ ହୁଏ ।
ବିମାନ ଯାତ୍ରା ମହଙ୍ଗା ହୋଇପାରେ: ଅଗଷ୍ଟ ୧ ତାରିଖରୁ ବିମାନ ଟରବାଇନ୍ ଇନ୍ଧନ (ATF)ର ମୂଲ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯାହା ବିମାନରେ ବ୍ୟବହୃତ ହୁଏ । ଯଦି ATFର ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ କମ୍ପାନୀଗୁଡ଼ିକ ବଢିଥିବା ମୂଲ୍ୟର ବୋଝ ଯାତ୍ରୀଙ୍କ ଉପରେ ଲଦି ଦେଇପାରନ୍ତି । ଯାହାଦ୍ୱାରା ବିମାନ ଟିକେଟ୍ ମହଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଅଗଷ୍ଟ ମାସରେ ଆପଣଙ୍କର ବିମାନ ଟିକେଟ୍ ବୁକ୍ କରିବା ସମୟରେ, ଭଡ଼ା ଉପରେ ନଜର ରଖନ୍ତୁ ଏବଂ ଶେଷ ମୁହୂର୍ତ୍ତରେ ଭଡ଼ା ବୃଦ୍ଧିକୁ ଏଡାଇବା ପାଇଁ ପୂର୍ବରୁ ବୁକ୍ କରନ୍ତୁ ।
SBI ଫ୍ରି କ୍ରେଡିଟ୍ କାର୍ଡ ଇନ୍ସୁରାନ୍ସ ବନ୍ଦ କରିବାକୁ ଯାଉଛି: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ SBI କାର୍ଡ ବ୍ୟବହାର କରନ୍ତି ଏବଂ ବିମାନ ଯାତ୍ରା ସମୟରେ ମାଗଣା ଦୁର୍ଘଟଣା ବୀମାର ସୁବିଧା ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । ଅଗଷ୍ଟ ୧୧, ୨୦୨୫ ଠାରୁ, ବ୍ୟାଙ୍କ ଏହାର ଅନେକ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଭ୍ୟାରିଆଣ୍ଟରେ ମାଗଣା ବିମାନ ଦୁର୍ଘଟଣା ବୀମା କଭରେଜ୍ ବନ୍ଦ କରିବାକୁ ଯାଉଛି ।
ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, କରୁର ବୈଶ୍ୟ ବ୍ୟାଙ୍କ ଏବଂ ଆଲ୍ଲାହାବାଦ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କ ସହିତ ସହଭାଗୀତାରେ ଏସବିଆଇ ବ୍ୟାଙ୍କ ଏଲିଟ୍ ଏବଂ ପ୍ରାଇମ୍ କାର୍ଡରେ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମାଗଣା ବିମାନ ଦୁର୍ଘଟଣା ବୀମା କଭର ପ୍ରଦାନ କରୁଥିଲା, ଯାହା ଏବେ ବନ୍ଦ ହେବାକୁ ଯାଉଛି ।