ଭୁବନେଶ୍ୱର, ୦୭/୦୮ : କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି। ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି। ମେଡିକାଲ ପରିସରରେ ଥିବା ପରିତ୍ୟକ୍ତ ୫ ବଖରା ଗୃହ ଭଙ୍ଗାଯାଇ ମୂଲ୍ୟବାନ କାଠ, ଝରକା କବାଟ ଆଦି ସଂରକ୍ଷିତ କରାଯାଇ ରଖାଯାଇଥିଲା। ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ନାୟକ ଓ ଅନ୍ୟଜଣେ ସହଯୋଗୀ ସେହି ଘର ମଧ୍ୟରେ ରହିଥିବା ଦୁଇଟି ବାଇକ ଓ ଅନ୍ୟକିଛି ସାମଗ୍ରୀ ଉଦ୍ଧାର କରିଥିଲେ। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ନେଇ ସିଡିଏମଓ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ପୁରାତନ ପରିତ୍ୟକ୍ତ ଗୃହ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା କହିଛନ୍ତି ।