ଭୁବନେଶ୍ୱର, ୦୮/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ଜଣେ ଗିରଫ । ରାଜ୍ୟ ବାହାରରୁ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତାକୁ ପୋଲିସ ଓଡ଼ିଶା ଆଣୁଛି । ଖୁବଶୀଘ୍ର ଛାତ୍ରୀ ମୃତ୍ୟୁ ଘଟଣାରୁ ପରଦା ହଟିବ । ବ୍ରେକଅପ ପରେ ଯୁବକ ଜଣଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ୩ ଦିନ ବିତିଲାଣି । ଏଯାଏ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଲିପାରିନି । କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ଦିଗରେ ତଦନ୍ତ କରୁଛି ପୋଲିସ । ଗତକାଲି ପୋଷ୍ଟମର୍ଟମ ପରେ କଡା ସୁରକ୍ଷା ବଳୟରେ ଗାଁରେ ପହଞ୍ଚିଥିଲା ଛାତ୍ରୀଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଟିଥିଲା ଗାଁ ଦାଣ୍ଡ। ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଛାତ୍ରୀଙ୍କ ବାପା କହିଛନ୍ତି ଝିଅର ପ୍ରେମିକ ବ୍ଲାକ ମେଲ କରିବା ସହ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲେ । ହେଲେ ଥାନାରେ ଦିଆଯାଇଥିବା ଏତଲାରେ ପ୍ରେମିକଙ୍କ ନାଁ ନାହିଁ । ସେହିପରି ତାଙ୍କ ବାପାଙ୍କ କହିବା ଅନୁଯାୟୀ ୬ ମାସ ତଳେ ପ୍ରେମିକ ବିରୋଧରେ ଥାନାରେ ଏତଲା ଦିଆ ଯାଇଥିଲା । ହେଲେ ଏବେ ଏତଲା କପି ମିଳୁ ନାହିଁ । ସ୍ପଷ୍ଟ ଦିବାଲୋକରେ ଘରେ ଝିଅ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି । କିନ୍ତୁ କେହି କିଛିଜାଣି ପାରିଲେନି କେମିତି ? ନିଆଁ ଲାଗିବା ବେଳେ ଝିଅର ଚିତ୍କାର ଶୁଣି ପାରିଲେ ନାହିଁ କି ନିଆଁ କି ଧୂଆଁ ଦେଖି ପାରିଲେ ନାହିଁ ତାହା ରହସ୍ୟଘେରରେ ରହିଛି । ଛାତ୍ରୀଙ୍କ କଲ ଡିଟଲେସକୁ ଯାଞ୍ଚ କରାଯାଉଛି । ତେବେ ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ ଜାଳି ଦିଆଯାଇଛି ତାହା ସନ୍ଦେହ ଘେରରେ ରହିଛି ।