ନିଜ ଗାଁରେ ପ୍ରେମ ବିବାହ ମନା : ନିୟମ ଭାଙ୍ଗିଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ, ୦୮/୦୮ : ଅନେକ ଗାଁ ଅଛି ଯେଉଁଠି ଜାତିପ୍ରଥା ଉପରେ ବିବାହ ନିର୍ଭର କରେ । ସମାନ ଜାତିର ହୋଇଥିଲେ ବିବାହ ପାଇଁ ଗାଁରେ ଅନୁମତି ମିଳୁଥିବା ବେଳେ ଅଜାତିରେ ବିବାହ କଲେ ଏହାକୁ ଗ୍ରହଣ କରନ୍ତିନି ଗାଁ ଲୋକେ । କିଛି ଗାଁରେ ଏହି ନିୟମ ଭାଙ୍ଗିଲେ ବାସନ୍ଦ ବି କରିଦିଅନ୍ତି । ଆଜି ଆମେ ଏକ ଏଭଳି ଗାଁ ବିଷୟରେ କହିବୁ ଯେଉଁଠାରେ ଗୋଟିଏ ଗାଁର ଯୁବକଯୁବତୀଙ୍କୁ ବିବାହ କରିବାକୁ ଅନୁମତି ନାହିଁ । ଏଭଳି ବିବାହ ଉପରେ ଅଙ୍କୁଶ ଲଗାଛନ୍ତି ଗାଁ ପଞ୍ଚାୟତ । କୌଣସି ପଞ୍ଚାୟତ ଯୁବକ/ଯୁବତୀଙ୍କୁ ନିଜ ଗାଁରେ ବିବାହ କରିବାରୁ ରୋକିପାରିବ ନାହିଁ । କିନ୍ତୁ, ସାମାଜିକ ଦୃଷ୍ଟିକୋଣରୁ ପଞ୍ଚାୟତଗୁଡ଼ିକ ଏପରି ନିଷ୍ପତ୍ତିକୁ ଉପଯୁକ୍ତ ବୋଲି ବିବେଚନା କରୁଛନ୍ତି । ସହର ବିବାହଠାରୁ ଗାଁ ବିବାହ ଭିନ୍ନ । ଝିଅର ଯେଉଁ ଯୁବକଙ୍କ ସହ ବିବାହ ହୁଏ ଗାଁର ସବୁ ଲୋକ ତାଙ୍କୁ ଜ୍ୱାଇଁ ବୋଲି ସମ୍ମାନ ଦିଅନ୍ତି । କିଛିବର୍ଷ ହେବ ଯୁବକମାନେ ନିଜ ଗାଁର ଝିଅଙ୍କୁ ବିବାହ କରୁଛନ୍ତି । ଏହି ଘଟଣା ଗୋଟିଏ ନୁହେଁ ଏଭଳି ବିବାହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କହିରଖୁ କି, ବଠିଣ୍ଡା ଜିଲ୍ଲାର କୋଟ ଶମିର ଗ୍ରାମ, ଫରିଦକୋଟର ଗ୍ରାମ ସିରସଡ଼ି ଏବଂ ଅନୋଖପୁରା ତଥା ମାନସା ଜିଲ୍ଲାର ସୈଦେୱାଲା ଗ୍ରାମ ପଞ୍ଚାୟତ ବୈଠକରେ ଏକ ପ୍ରସ୍ତାବ ପାସ୍ ହୋଇଛି । ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି କି, କୌଣସି ଯୁବକ-ଯୁବତୀ ନିଜ ଗାଁରେ ପ୍ରେମ ବିବାହ କରି ପାରିବେ ନାହିଁ । ଯିଏ ଏହି ନିୟମ ଭଙ୍ଗ କରିବେ ତାଙ୍କୁ ସାମୂହିକ ବାସନ୍ଦ କରାଯିବ । ‘ ନିଜ ଗାଁରେ ପ୍ରେମ ବିବାହ କରିବା ଦ୍ୱାରା ସାମାଜିକ ମୂଲ୍ୟବୋଧ ଦୁର୍ବଳ ହେଉଛି, ଯେଉଁ କାରଣରୁ ଅନର କିଲିଂ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେବଳ ଏତିକି ନୁହେଁ, ନିଜ ଗାଁରେ ବିବାହ କରିବାର ଅନେକ ଅସୁବିଧା ରହିଛି । ଏହା ଜେନେଟିକ୍ ସମସ୍ୟା ବୃଦ୍ଧି କରିପାରେ ଏବଂ ଗୋଟିଏ ଗାଁରେ ଉଭୟଙ୍କ ଘର ହେବା ଯୋଗୁଁ ପରସ୍ପରର ଘରେ ହସ୍ତକ୍ଷେପ ମଧ୍ୟ ବୃଦ୍ଧି ପାଇବ, ଯାହା ସମ୍ପର୍କ ତିକ୍ତ ହେବାର ସମ୍ଭାବନା ବଢ଼ାଇଥାଏ । ଯେପରି ଆମେ ଗୋଟିଏ ପରିବାର ମଧ୍ୟରେ ବିବାହ କରୁନାହୁଁ, ସେହିପରି ଗାଁ ମଧ୍ୟ ଏକ ବଡ଼ ପରିବାର । ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ପାଇଁ ଗୋଟିଏ ଗାଁରେ ବିବାହ କରିବା ଠିକ୍ ନୁହେଁ ବୋଲି ପଞ୍ଜାବର କିଛି ଗାଁର ସରପଞ୍ଚ ମତ ଦେଇଛନ୍ତି । ସରପଞ୍ଚମାନେ ପଞ୍ଜାବ ସରକାରଙ୍କୁ ଏହି ପ୍ରସ୍ତାବକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଏବଂ ପଞ୍ଜାବ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ବିଚାର କରିବାକୁ ମଧ୍ୟ ଆବେଦନ କରିଛନ୍ତି ।