ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡ଼ି

ଭୁବନେଶ୍ୱର, ୦୯/୦୮ : ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଥିଲେ ବୋଲି ବିବେକାନୁସାରେ ଭୋଟ୍ ଦେଇଥିଲୁ, କିନ୍ତୁ ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଆଦୌ ସମର୍ଥନ ଦେବେ ନାହିଁ ବୋଲି କହିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି କାହାକୁ ସମର୍ଥନ କରିବା ପ୍ରଶ୍ନରେ ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି, ଏନଡିଏକୁ ସମର୍ଥିତ ପ୍ରାର୍ଥୀଙ୍କୁ କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଏନଡିଏ ଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ବିବେକ ଅନୁସାରେ ତାଙ୍କୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । କିନ୍ତୁ ଏବେ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ମହେଶ । ବିଜେପି ନେତା ଅଶୋକ ମହାନ୍ତି କହିଛନ୍ତି, ମହେଶ ଜଣେ ପୁରୁଣା ରାଜନୀତିଜ୍ଞ । ତେଣୁ ଏହା ତାଙ୍କ ନିଜସ୍ୱ ମତ ନା ଦଳୀୟ ମତ ତାହା ପ୍ରଥମେ ସ୍ପଷ୍ଟ କରନ୍ତୁ । ଉପରାଷ୍ଟ୍ରପତି ଦଳୀୟ ନୁହଁନ୍ତି । ତାଙ୍କୁ ବାଛିବାରେ କାହାର ଆପତ୍ତି ହେବା କଥା ନୁହେଁ । ପୂର୍ବରୁ ମଧ୍ୟ ବିଜେଡ଼ି ଓ କଂଗ୍ରେସ ଭାଇ ଭାଇ ଥିଲେ । ବିଜେଡ଼ି ସମଦୂରତା କଥା କହୁଥିବାବେଳେ ଏନଡିଏକୁ ସମର୍ଥନ କରିବ ନାହିଁ , ଏଥିରୁ ଜଣାପଡ଼ିବ ସେ କାହାକୁ ସମର୍ଥନ କରୁଛନ୍ତି, କଂଗ୍ରେସକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ଜଣାପଡ଼ିବ । ଏହା ତାଙ୍କର ଦୋମୁହାଁ ନୀତି । ବିଜେଡ଼ିର କୌଣସି କାମରେ ସ୍ପଷ୍ଟତା ନାହିଁ ବୋଲି କହିଛନ୍ତି ଅଶୋକ ମହାନ୍ତି । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।