ଭୁବନେଶ୍ୱର, ୧୦/୦୮ : ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଫଳରେ ଆସନ୍ତା ୧୩ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ବଡ଼ ବର୍ଷା ହୋଇପାରେ । ଆଜି ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ନୟାଗଡ଼, ଗଞ୍ଜାମ ଏବଂ ଗଜପତିକୁ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି । ୧୧ ତାରିଖ ଦିନ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଦେଇଛି ଅରାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ରାଜ୍ୟରେ ବଢିବ ବର୍ଷା ପରିମାଣ ଓ ବିସ୍ତୃତି । ୧୨-୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।