ଭୁବନେଶ୍ୱର, ୨୭/୦୮ : ଆସନ୍ତାକାଲି ନୂଆଁଖାଇ । କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଖାଇବେ ପରିବାର । ଏଥିପାଇଁ ଆଜିଠୁ ସମସ୍ତ ପ୍ରସ୍ତୁତି ସରିଛି । ପଶ୍ଚିମ ଓଡ଼ିଶାର ଆଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆଁ ଖାଇବେ । ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ଆରାଧ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମଲେଶ୍ୱରୀ ମନ୍ଦିରରେ ରଙ୍ଗକାମଠୁ ନେଇ ମରାମତି ଓ ଗହଣ ସଫେଇ ଜୋରସୋର୍ରେ ଚାଲିଛି । ସୁବ୍ୟବସ୍ଥିତ କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଗତ ୩ ଦିନ ମଧ୍ୟରେ ମନ୍ଦିର ମରାମତି କାମ ଜୋରସୋର୍ରେ ଚାଲିଛି । ମନ୍ଦିର ଭିତରେ ଫାଟିଥିବା ଟାଇଲ୍ ଓ ମାର୍ବଲ୍ କାମ ତିଆରି ସରିଛି । ମନ୍ଦିର ଭିତର ପାର୍ଶ୍ୱ ନୂଆଁ ରଙ୍ଗ କାମ ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି । ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ଲଗା ସରିଛି । ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ନୂଆଁଖାଇର ପୂଜାର୍ଚ୍ଚନା ସକାଶେ ମଧ୍ୟ ପ୍ରସ୍ତୁତି ଚାଲିଛି । ନୂଆଁଖାଇରେ ସାମିଲ ହେବାକୁ ପରିବାରର ସଦସ୍ୟ ଘରମୁହାଁ ହୋଇଛନ୍ତି । ରେଳ ଷ୍ଟେସନରୁ ଆରମ୍ଭ କରି ବସଷ୍ଟାଣ୍ଡ ଯାଏ ଲୋକାରଣ୍ୟ ହୋଇଯାଇଛି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି । ଅପରପକ୍ଷେ, କୃଷିଭିତ୍ତିକ ପର୍ବ ହୋଇଥିବାରୁ ବେଶ୍ କିଛିଦିନ ହେଲା ଚାଷୀ ଭାଇ ତାର ପ୍ରସ୍ତୁତି ଚଲାଇଥିଲା । ହଳ ବଳଦ ଧୁଆରୁ ଆରମ୍ଭ କରି ଗୁହାଳ ସଫା ଯାଏ କାମରେ ବ୍ୟସ୍ତ ରହିଥିଲା । ଘରର ସ୍ତ୍ରୀ ଲୋକମାନେ ଘର ଲିପାପୋଛାରୁ ଆରମ୍ଭ କରି ଚୁନା ପ୍ରସ୍ତୁତି ଯାଏ କାମରେ ବ୍ୟସ୍ତ ଥିବା ବେଳେ ଏବେ ସବୁ କାମ ବି ଶେଷ ହୋଇଛି । ସେହିପରି ବିଭିନ୍ନ ଜାତିର ଲୋକ ବିଭିନ୍ନ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି । ଏଥିପାଇଁ ଜାତି ଅନୁସାରେ କୁରେ, ମହୁଲ, ଶାଳ ଆଦି ବିଭିନ୍ନ ପତ୍ର ସଂଗ୍ରହ କରି ଦନା ପ୍ରସ୍ତୁତି ବି ଶେଷ ହୋଇଛି । ଅନ୍ୟପଟେ, ଗତମାସରେ ବର୍ଷା ଅଭାବରୁ ଧାନ ହୋଇପାରିନି । ତେଣୁ ଆଜି ସମ୍ବଲପୁର ସହରରେ ବସିଥିବା ହାଟରେ ପ୍ରବଳ ଭିଡ଼ ହୋଇଥିଲା । ନୂଆଁ ଧାନ, ପତ୍ର ଏବଂ ଅନ୍ୟ ସାମଗ୍ରୀ କିଣି ଘରକୁ ନେଇଛନ୍ତି । ଆଜି ସହରର ଲକ୍ଷ୍ମୀଟକିଜରୁ ଗୋଲବଜାର ଛକରେ ପ୍ରବଳ ଭିଡ଼ ହୋଇଥିଲା ।
