ନୂଆଦିଲ୍ଲୀ, ୦୧/୦୯ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଚୀନର ତିଆଞ୍ଜିନରେ ଚାଲିଥିବା ସାଙ୍ଘାଇ କୋପରେସନ ଅର୍ଗାନାଇଜେସନ୍ ସମ୍ମିଳନୀରେ ବିଶ୍ବର ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଉପରେ ସାରା ବିଶ୍ବର ନଜର। ଉଭୟ ନେତା ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା କରିବେ । ଏ ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି । ମୋଦି-ପୁଟିନଙ୍କ ଭେଟଘାଟକୁ ଗରୁତ୍ବ ଦିଆଯାଉଛି। ଗତକାଲି ଏସ୍ ସିଓ ଶିଖର ସମ୍ମିଳନୀର ପ୍ରଥମ ଦିବସରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ତିଆଞ୍ଜିନରେ ଆନୁଷ୍ଠାନିକ ସ୍ୱାଗତ ସମାରୋହରେ ଏହି ନେତାମାନେ ଏକତ୍ର ଫଟୋ ପାଇଁ ପୋଜ୍ ଦେଇଥିଲେ। ଏବେ ଏହି ଫଟୋ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି । ରାଜନୈତିକ ବିଶ୍ଳେଷକମାନେ ଏହାର ଅର୍ଥ ଖୋଜିବାରେ ବ୍ୟସ୍ତ ଅଛନ୍ତି।
