ନୂଆଦିଲ୍ଲୀ, ୧୩/୦୯ : ଭାଙ୍ଗିଲା ନେପାଳ ସଂସଦ । ମାର୍ଚ୍ଚ ୫ ତାରିଖରେ ହେବ ନେପାଳ ନିର୍ବାଚନ। ନେପାଳ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା ଶପଥ ନେଇଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡାଲ ସୁଶୀଳା କାର୍କିଙ୍କୁ ଶପଥ ପାଠ କରାଇଥିଲେ । ସୁଶୀଳାଙ୍କ ସହ କିଛି ମନ୍ତ୍ରୀ ମଧ୍ଯ ଶପଥ ନେଇଛନ୍ତି । ସୁଶୀଳା କାର୍କି ୬ ମାସ ଶାସନ ଭାର ସମ୍ଭାଳିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ ନେପାଳର ସାଧାରଣ ନିର୍ବାଚନ । ଆସନ୍ତାବର୍ଷ ମାର୍ଚ୍ଚ ୫ରେ ନେପାଳରେ ନୂଆ ସରକାର ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସୁଶୀଳା ୨୦୧୬ ଜୁଲାଇରୁ ୨୦୧୭ ଯାଏ ନେପାଳ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଥିଲେ । ଦେଶର ପ୍ରଥମ ମହିଳା ବିଚାରପତି ଭାବେ ତାଙ୍କର ଲୋକପ୍ରିୟତା ରହିଛି । ୧୯୭୫ରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ୧୯୭୮ରେ ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ପରେ ସେ ନ୍ୟାୟିକ ପେଶାରେ ପ୍ରବେଶ କରିଥିଲେ । ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା ।
