ଭୁବନେଶ୍ୱର,୨୨/୯ : ବିଧାନସଭା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ବୋଲି କଂଗ୍ରେସ ଘୋଷଣା କରିଥିଲା। ହେଲେ ତାହା ସମ୍ଭବ ହୋଇପାରି ନାହିଁ। କଂଗ୍ରେସର ଅନାସ୍ଥା ନୋଟିସକୁ ବାଚସ୍ପତି ସୁରମା ପାଢ଼ୀ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି।
ବିରୋଧୀ ବିଜେଡି ବିଧାନସଭା ଆରମ୍ଭରୁ ସାର ସଙ୍କଟକୁ ନେଇ ହଟ୍ଟଗୋଳ କରିଥିଲା। ଫଳରେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରି ନ ଥିଲା। ବାଚସ୍ପତି ଏହି କାରଣ ଦର୍ଶାଇ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି। ଗୃହ ସ୍ଵାଭାବିକ ନ ଥିବା ଏବଂ ନିର୍ଦ୍ଧାରିତ ସମୟ ଶେଷ ହୋଇଯାଇଥିବାରୁ ନୋଟିସକୁ ଅଗ୍ରାହ୍ୟ କରାଯାଇଥିବା ବାଚସ୍ପତି କହିଛନ୍ତି।
ଅନ୍ୟପଟେ କଂଗ୍ରେସ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁରୋଧ କରି ବିଫଳ ହୋଇଛି। ବାଚସ୍ପତି ନ ଶୁଣିବାରୁ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରାବାଜି କରିଥିବା ଦେଖିବାକୁ ମିଳିଛି। ଶେଷରେ ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।
