ଭୁବନେଶ୍ୱର, ୨୩/୦୯:ଆସନ୍ତା ୨୭ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ନିର୍ଦ୍ଧାରିତ ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ହେବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି । ତଥାପି ମୋଦିଙ୍କ ସମ୍ଭାବ୍ୟ ଝାରସୁଗୁଡ଼ା ଗସ୍ତ ନେଇ ଉଭୟ ଦଳୀୟ ଏବଂ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଅମଲିପାଲି ପଡ଼ିଆରେ ଭବ୍ୟ କାର୍ଯ୍ୟକ୍ରମ ପାଇଁ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସିବା ୯୯ ପ୍ରତିଶତ ସମ୍ଭାବନା ରହିଛି । ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଛି । ଗତ ରବିବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ପୃଥକ୍ ଭାବେ ମୋଦିଙ୍କ ଝାରସୁଗୁଡ଼ା ସମାବେଶ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଝାରସୁଗୁଡ଼ାରେ ପ୍ରଶାସନିକ ଓ ଦଳୀୟ ଗତିବିଧି ତୀବ୍ର ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ପଡ଼ିଆ ସମତଳ କାର୍ଯ୍ୟ ଚାଲିଛି । ରବିବାର ରାଜ୍ୟ ସଭାପତି ଶ୍ରୀ ସାମଲ, ବିଧାୟକ ଶ୍ରୀ ତ୍ରିପାଠୀ ପ୍ରମୁଖ ସଭାସ୍ଥଳ ପରିଦର୍ଶନ କରିଥିଲେ । ସର୍କିଟ୍ ହାଉସ୍ରେ ଶ୍ରୀ ସାମଲ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଥିଲେ । ଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱଣ, ଏସ୍ପି ରେଡ୍ଡୀ ରାଘବେନ୍ଦ୍ର ଗୁଣ୍ଡାଲା ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ପଡ଼ିଆ ବୁଲି ଦେଖିଥିଲେ । ଅନୁରୂପ ଭାବେ ସୋମବାର ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଅମଲିପାଲି ପଡ଼ିଆକୁ ପ୍ରଶାସନିକ ଅଧିକାରୀ ଏବଂ ଦଳୀୟ କର୍ମକର୍ତ୍ତା ନିରୀକ୍ଷଣ କରିବା ସହ ସଭାସ୍ଥଳ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ବଢ଼ିଛି । ଦଳୀୟ କର୍ମକର୍ତ୍ତା ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି ।
