ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟକ ଜୁବିନ ଗର୍ଗ

ନୂଆଦିଲ୍ଲୀ, ୨୩/୦୯ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ସମ୍ପନ୍ନ। ଆସାମାର ଗୌହାଟି ସ୍ଥିତ ସୋନପୁରର କାମାରକୁଚି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କୁ ମୁଖାଗ୍ନି ଦେଇଛନ୍ତି ସାନ ଉଭଣୀ ପାମି ବର୍ଠାକୁର । ପରିବାର, ସମ୍ପର୍କୀୟ, ଫ୍ୟାନ୍ସ, ନେତା-ମନ୍ତ୍ରୀ, ସେଲିବ୍ରଟି ସମେତ ମୁଖ୍ୟମନ୍ତ୍ରୀ ଏହି ସମୟରେ ସାମିଲ ଥିବା ବେଳେ ଭାବବିହ୍ୱଳ ପରିବେଶରେ ଜୁବିନ ଗର୍ଗଙ୍କୁ ଶେଷ ବିଦାୟ ଦେଇଛନ୍ତି । ଜୁବିନଙ୍କ କ୍ୟାରିୟର କଥା କହିବାକୁ ଗଲେ ୧୮ ନଭେମ୍ବର ୧୯୭୨ରେ ମେଘାଳୟର ତୁରାରେ ଜନ୍ମଗ୍ରହଣ କରିଥିଲେ । ଜୁବୀନଙ୍କ ସଙ୍ଗୀତ ଯାତ୍ରା କମ୍ ବୟସରୁ ଆରମ୍ଭ ହୋଇଥିଲା । ସେ ଅନେକ ବାଦ୍ୟଯନ୍ତ୍ରରେ ଦକ୍ଷ ଥିଲେ ଏବଂ ଢୋଲ, ଗିଟାର ଏବଂ କୀବୋର୍ଡ ଭଳି ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ। ୧୯୯୨ରେ ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ ଆଲବମ୍ “ଅନାମିକା” ତାଙ୍କୁ ଆସାମୀ ସଙ୍ଗୀତ ଶିଳ୍ପରେ ଜଣେ ଷ୍ଟାର କରିଥିଲା । ଏହାଛଡ଼ା ସେ ୨୦୦୬ରେ ’’ଗ୍ୟାଙ୍ଗଷ୍ଟାର’’ ଫିଲ୍ମର ’’ୟା ଅଲି’’ ଗୀତ ଗାଇଥିଲେ । ଯାହା ପରେ ତାଙ୍କୁ ପ୍ରସିଦ୍ଧ କରିଥିଲା । କେବଳ ଏତିକି ନୁହେଁ ତାଙ୍କ କ୍ୟାରିଅର୍ ମଧ୍ୟରେ, ସେ ଆସାମୀ, ହିନ୍ଦୀ ଏବଂ ବଙ୍ଗାଳୀ ସମେତ ୪୦ଟି ଭାଷାରେ ୩୫,୦୦୦ରୁ ଅଧିକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି । ଜୁବିନଙ୍କ ମରଶରୀର ଗୁଆହାଟୀରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । ଖବର ପାଇ କ୍ଷଣିକ ଭିତରେ ଲୋକପ୍ରିୟ ଗାୟକଙ୍କ ଶେଷ ଦର୍ଶନ କରିବା ପାଇଁ ଧାଇଁ ଆସିଥିଲେ ଲୋକେ । ସମଗ୍ର ସହର ଜନ ସମୁଦ୍ରରେ ପରିଣତ ହୋଇଥିଲା । ଜୁବିନଙ୍କ ଶବ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ସଂଖ୍ୟା ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଏହା ବିଶ୍ବରେ ଚତୁର୍ଥ ଜନବହୁଳ ବୋଲି କୁହାଯାଇଛି । ପପ୍ ଗାୟକ ମାଇକେଲ ଜ୍ୟାକସନ, ପୋପ୍ ଫ୍ରାନସିସ୍ ଓ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରେ ଲୋକେ ବହୁସଂଖ୍ୟାରେ ଜୁବିନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ।

SBI_Festive_Digital Billboard