ଭୁବନେଶ୍ୱର,୨୫/୯ : (ଓଡିଶା ଖବର) – “ଏକ ଦିନ, ଏକ ଘଣ୍ଟା, ଏକ ସାଥ” ଦେଶବ୍ୟାପୀ ଅଭିଯାନର ଅଂଶ ସ୍ୱରୂପ ଆଜି ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଏକ ଜନସଚେତନତା ରାଲି ଏବଂ ଶ୍ରମଦାନ ଆୟୋଜନ କରାଯାଇଥିଲା । ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ଆଜି ପୂର୍ବାହ୍ନରେ ଖରଡ଼ା ରୋଡ଼ ରେଳ ଷ୍ଟେସନ ଠାରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ପି. କେ. ବେହରା ଏବଂ ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳଙ୍କ ସହ ସମସ୍ତ ଶାଖା ଅଧିକାରୀ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉତ୍ସାହଜନକ ଅଂଶଗ୍ରହଣରେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ । ଏହି ରାଲିରେ ସ୍ୱଚ୍ଛତା, ପରିମଳ ଏବଂ ରେଳ ପରିସରରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନିରୁତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମ ସମୟରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ତ୍ରିପାଠି ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ପ୍ଲାଷ୍ଟିକ୍ ବ୍ୟବହାର ବିରୁଦ୍ଧରେ ସଚେତନତା ପ୍ରସାର କରିବା ପାଇଁ ଯାତ୍ରୀମାନଙ୍କୁ ପରିବେଶ ଅନୁକୂଳ ଝୋଟ ବ୍ୟାଗ ବଣ୍ଟନ କରିଥିଲେ ।
ସଚେତନତା ରାଲି ପ୍ଲାଟଫର୍ମ ନମ୍ବର ୧ ର ନୂତନ ପ୍ରବେଶ ପଥରୁ ଆରମ୍ଭ ହୋଇ ପୁରୁଣା ପ୍ରବେଶ ପଥ ଦେଇ ଆଗକୁ ବଢ଼ି ରେଳ କୋଚ୍ କ୍ୟାଣ୍ଟିନ୍ ସମ୍ମୁଖରେ ଶେଷ ହୋଇଥିଲା । ରେଳ କୋଚ୍ କ୍ୟାଣ୍ଟିନ୍ ଅଞ୍ଚଳରେ ଏହାର ଆଖପାଖ ସ୍ଥାନ ଏବଂ ସାଇକେଲ ଷ୍ଟାଣ୍ଡ ମାନଙ୍କରେ ଏକ ବିଶାଳ ଶ୍ରମଦାନ ଅଭିଯାନ କରାଯାଇଥିଲା । ଏହା ସହିତ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମଧ୍ୟ ରେଳ କଲୋନୀଗୁଡ଼ିକରେ ଘର ଘର ବୁଲି ସଚେତନତା ଅଭିଯାନ ଆରମ୍ଭ କରିଥିଲା ଯାହାଦ୍ୱାରା ବାସିନ୍ଦାମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜନ ବିଷୟରେ ସଚେତନ କରାଯାଇଥିଲା । ଏହି ପଦକ୍ଷେପରେ ସାମୂହିକ ଅଂଶଗ୍ରହଣ ଦେଖାଯାଇଥିଲା ଏବଂ ଏକ ସ୍ୱଚ୍ଛ ଏବଂ ସବୁଜ ପରିବେଶର ଦୃଷ୍ଟିକୋଣ ପ୍ରତି ପୂର୍ବତଟ ରେଳବାଇର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରାଯାଇଥିଲା ।
