ଭୁବନେଶ୍ୱର, ୦୩/୧୦ : ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦଶଭୂଜା ଦୁର୍ଗା । ୪ ଦିନ ମଣ୍ଡପରେ ଦର୍ଶନ ଦେବା ପରେ ଆଜି ମେଲାଣି ନେବେ । ଆଜି ଭସାଣ ଉତ୍ସବ । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ । ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଦେବୀଗଡ଼ାରେ ମେଢ଼ ଗୁଡିକ କିପରି ଠିକ ଭାବରେ କାଠ ଯୋଡି ନଦୀ ନିକଟ ଅସ୍ଥାୟୀ ପୋଖରୀକୁ ଯିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳା ଦର୍ଶନ ନିମନ୍ତେ କରାଯାଇଛି ବ୍ୟାପକ ଵ୍ୟଵସ୍ଥା । ପୋଲିସ ପ୍ରଶାସନ ତରଫରୁ ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହୋଇଛନ୍ତି ୧୨୫ ପ୍ଲାଟୁନ ଫୋର୍ସ । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସକାଳ ୮ ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ । ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣୀ ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସି ସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭିଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ। ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲ୍ ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ । ପୋଲିସ ପକ୍ଷରୁ ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ଗୋଟିଏ ଥର ପାଇଁ କୁହାଯିବ। ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ ।
