କଟକରେ ୩୬ ଘଣ୍ଟା କର୍ଫ୍ୟୁ

ଭୁବନେଶ୍ବର, ୦୬/୧୦ : କଟକରେ ହିଂସା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ ଥାନା, ଲାଲବାଗ, ବିଡ଼ାନାସୀ , ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶ ମୌଜା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର । ତେବେ କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରି ଗାଡ଼ି ଗୁଡ଼ିକୁ ୟାଞ୍ଚ କରାଯାଉଛି ୫ ତାରିଖ ରାତି ୧୦ଟାରୁ ଆରମ୍ଭ ହୋଇଥିବା କର୍ଫ୍ୟୁ ଆସନ୍ତାକାଲି ସକାଳ ୧୦ଟା ଯାଏ ଚାଲିବ । ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏ ନିଷ୍ପତ୍ତି ନେଇଛି । ସେପଟେ ପୋଲିସ ଆନ୍ଦୋଳନକାରୀ ଖଣ୍ଡଯୁଦ୍ଧ ବେଳେ ୮ ପୋଲିସଙ୍କ ସମେତ ୨୫ ଜଣ ଆହତ ହୋଇଥିବା କହିଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ, କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର । ହ୍ବାଟ୍ ସ ଆପ୍, ଫେସ୍ ବୁକ୍, ଇନ୍ ଷ୍ଟାଗ୍ରାମ୍, ସ୍ନାପ୍ ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ ରହିଛି। ଆଜି ସଂଧ୍ୟା ୭ଟା ଯାଏ କଟକଣା ବଳବତ୍ତର ରହିବ । ଆଇନଶୃଙ୍ଖଳା ବଜାୟ ରଖିବାକୁ କଟକ ସହରରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛି କଟକ କମିସନରେଟ ପୋଲିସ ।

SBI_Festive_Digital Billboard