ରାଜ୍ୟର ସ୍ଥିତି ଗମ୍ଭୀର ଥିଲାବେଳେ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର : ବିଜୁ ଜନତା ଦଳ

ଭୁବନେଶ୍ୱର,୬/୧୦ : କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଭାଇଚାରାର ସହର କଟକରେ କେବେ ନଦେଖିବା ସ୍ଥିତି ଆଜି ଡବଲ ଇଂଜିନ ସରକାରରେ ଦେଖିବାକୁ ମିଳିଛି । ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି ।

SBI_Festive_Digital Billboard