ନୂଆଦିଲ୍ଲୀ,୭/୧୦ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ ବଙ୍ଗଳାର ଠିକଣା ଦୁଇ, ତିନି ମୂର୍ତ୍ତି ଲେନ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଣଳୟ ଦ୍ୱାରା ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଆବଣ୍ଟିତ ଦୁଇ, ତିନି ମୂର୍ତ୍ତି ଲେନ ଟାଇପ-୭ ବଙ୍ଗଳାର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି । ଖୁବ୍ଶୀଘ୍ର ଏହି ବଙ୍ଗଳାଟି ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ହସ୍ତାନ୍ତର କରାଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କାଳରେ ଚାଣକ୍ୟପୁରୀ ସ୍ଥିତ ପଞ୍ଚତାରକା ଅଶୋକା ହୋଟେଲ ପରିବର୍ତ୍ତେ ଆବଣ୍ଟିତ ବଙ୍ଗଳାରେ ରହଣି କରିବେ ବୋଲି ଜଣାପଡ଼ିଛି । ନୂତନ ଓଡ଼ିଶା ଭବନ ନିର୍ମାଣ ପାଇଁ ପୁରାତନ ସୌଧକୁ ଭାଙ୍ଗି ଦିଆଯିବା ପରେ ଏକ ବର୍ଷରୁ ଅଧିକ ସମୟ ଧରି ଚାଣକ୍ୟପୁରୀ ସ୍ଥିତ ଅଶୋକା ହୋଟେଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହଣି କରୁଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ରହଣି ବାବଦରେ ରାଜ୍ୟ ରାଜକୋଷରୁ ଦିନକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏଣିକି ଦିଲ୍ଲୀ ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ମାଝୀ ନୂତନ ବଙ୍ଗଳାରେ ଏବଂ ଅନ୍ୟ ଅଧିକାରୀ ମାନେ ଓଡ଼ିଶା ନିବାସରେ ରହଣି କରିବେ । ଯାହାଦ୍ୱାରା ଓଡ଼ିଶା ସରକାରଙ୍କ ଖର୍ଚ୍ଚ କମିବ ।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଦୁଇ, ତିନମୂର୍ତ୍ତି ସ୍ଥିତ ଟାଇପ-୭ ବଙ୍ଗଳା ଆବଣ୍ଟିତ ହୋଇଛି । ରାଜ୍ୟ କୋଟା ଆଧାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହି ବଙ୍ଗଳାଟି ମିଳିଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଣଳୟ ଅଧିନସ୍ଥ ଇଷ୍ଟେଟ ନିର୍ଦେଶାଳୟ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଓଡ଼ିଶା ସରକାରଙ୍କୁ ୬ଟି ସରକାରୀ ବଙ୍ଗଳା ଅଥବା କ୍ୱାଟର ମିଳିପାରିବ । ଏଥିମଧ୍ୟରୁ ଚାରିଟି କ୍ୱାର୍ଟର୍ସରେ ଓଡ଼ିଶା ସରକାରଙ୍କ ବାବୁ ମାନେ ରହୁଛନ୍ତି । ଆବଣ୍ଟିତ ବଙ୍ଗଳା ବାବଦରେ ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ଭଡ଼ା ଅଥବା ଲାଇସେନ୍ସ ଫି ଅର୍ଥ ଜମା ଦେବାକୁ ପଡ଼ିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ମାସିକ ୧୦ରୁ ୧୨ ହଜାର
ଟଙ୍କା ଖର୍ଚ୍ଚ ହେବ ।
ଏହି ବଙ୍ଗଳାରେ ୪ଟି ବେଡ ରୁମ, ୨ଟି ଡ୍ରଇିଂ ରୁମ ଏବଂ ବଡ଼ ଲନ ରହିଛି । ସୁରକ୍ଷା କର୍ମୀ ଏବଂ ଅନ୍ୟାନ୍ୟ ଘରୋଇ କର୍ମଚାରୀଙ୍କ ପାଇଁ ବଙ୍ଗଳା ପଛପଟେ କ୍ୱାର୍ଟର୍ସ ବ୍ୟବସ୍ଥା ଅଛି । ଇତିମଧ୍ୟରେ ମରାମତି କାର୍ଯ୍ୟ ତଦାରଖ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇଥର ଦୁଇ, ତିନମୂର୍ତ୍ତି ଲେନ ସ୍ଥିତ ଟାଇପ- ୭ ବଙ୍ଗଳା ପରିଦର୍ଶନ କରିଥିବା ଜଣାପଡ଼ିଛି । ମରାମତି କାର୍ଯ୍ୟ ବେଳେ ବାସ୍ତୁଶାସ୍ତ୍ରକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।
