ନୂଆଦିଲ୍ଲୀ ୧୦/୧୦ : ମଧ୍ୟପ୍ରଦେଶରେ ବିଷାକ୍ତ କଫ ସିରପ ସେବନ ଯୋଗୁ ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୨୫ ପିଲାଙ୍କ ମୃତ୍ୟୁ ଘଟିଲାଣି । ରାଜସ୍ଥାନରେ ବି ୪ ଜଣ ଶିଶୁଙ୍କ ଜୀବନ ଯାଇଛି । ଏହାକୁ ନେଇ କେନ୍ଦ୍ର ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି । ସିରପଗୁଡ଼ିକର ନମୁନା ପରୀକ୍ଷା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଫ ସିରପ ବନାଉଥିବା କମ୍ପାନିଗୁଡ଼ିକର ତାଲିକା ମାଗିଛନ୍ତି । ଏହାଦ୍ୱାରା ସେଗୁଡ଼ିକର ଗୁଣବତ୍ତା ଏବଂ ସୁରକ୍ଷା ନେଇ କଡ଼ାକଡ଼ି ଯାଞ୍ଚ ହୋଇପାରିବ । ଫାର୍ମାସ୍ୟୁଟିକାଲ ଉତ୍ପାଦଗୁଡ଼ିକ ନିମନ୍ତେ କଡ଼ାକଡ଼ି ପ୍ରୋଟୋକଲ୍ ପାଳନ ଲାଗି କୁହାଯାଇଥିଲା । ଉଭୟ କଞ୍ଚାମାଲ ଓ ଫିନିଶ୍ଡ ଉତ୍ପାଦର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ପ୍ରଚଳିତ ଔଷଧ ନିୟମକୁ କଡ଼ାକଡ଼ି ଭାବେ ପାଳନ ଲାଗି ଦର୍ଶାଯାଇଛି । ଏହି ମାମଲାର ଯାଞ୍ଚକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଆଜି ଏ ନେଇ ଶୁଣାଣି ହୋଇପାରେ । ଓକିଲ ବିଶାଲ ତିୱାରୀଙ୍କ ଆବେଦନରେ ଏହି ମାମଲାର ତଦନ୍ତ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ କିମ୍ବା ସିବିଆଇ ଦ୍ୱାରା କରାଇବାକୁ ଅନୁରୋଧ କରାଯାଇଛି । ଏ ପର୍ଯ୍ୟନ୍ତ କୌଣସି ରାଜ୍ୟ ସମ୍ପୂର୍ଣ୍ଣ ଭାବେ ସୁଧାରାତ୍ମକ ତଥା ନିବାରକ କାର୍ଯ୍ୟାନୁଷ୍ଠାନ (ସିଏପିଏ) ମାର୍ଗଦର୍ଶିକାର ପାଳନ କରିପାରି ନାହାନ୍ତି । ଏହି ମାର୍ଗଦର୍ଶିକା ଔଷଧଗୁଡ଼ିକର ସୁରକ୍ଷା ଓ ଗୁଣବତ୍ତା ବଜାୟ ପାଇଁ ପ୍ରସ୍ତୁତ ହୋଇଥିଲା ।
