ନୂଆଦିଲ୍ଲୀ, ୧୩/୧୦ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁ ପରିବାର ବିରୁଦ୍ଧରେ ଠକେଇ ଏବଂ ଷଡ଼ଯନ୍ତ୍ରର ଅଭିଯୋଗ ଫଇସଲା କରିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍ ସେମାନେ ଏବେ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବେ।
ଚାର୍ଜ ଫ୍ରେମ କରାଯାଇଛି ସେଥିରେ IPC 420, IPC 120B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) ଅନ୍ତର୍ଭୁକ୍ତ। ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) କେବଳ ଲାଲୁ ଯାଦବଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସେ ସରକାରୀ ପଦବୀରେ ରହି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ବୀ ଯାଦବ ସେମାନଙ୍କର ଦୋଷ ସ୍ବୀକାର କରିବାକୁ ମନା କରିଦେଲେ। ଲାଲୁ ପରିବାର କୋର୍ଟରେ କହିଛନ୍ତି, ସେମାନେ ମାମଲାର ସମ୍ମୁଖୀନ ହେବେ। ରାବ୍ରୀ ଯାଦବ କହିଛନ୍ତି, ଏହା ଏକ ମିଥ୍ୟା ମାମଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁ ଯାଦବଙ୍କ ସମେତ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ଠକେଇ ଏବଂ ଦୁର୍ନୀତି ସମେତ ବିଭିନ୍ନ ଧାରା ଅନୁଯାୟୀ ଚାର୍ଜଫ୍ରେମ୍ କରିଛନ୍ତି। କୋର୍ଟ ଷଡ଼ଯନ୍ତ୍ର, କ୍ଷମତାର ଅପବ୍ୟବହାର ଏବଂ ଟେଣ୍ଡର ପ୍ରକ୍ରିୟାରେ ହେରଫେରକୁ ଉଲ୍ଲେଖ କରି କହିଛନ୍ତି ଯେ ସବୁକିଛି ଲାଲୁ ଯାଦବଙ୍କ ଜ୍ଞାତସାରରେ ଘଟିଥିଲା। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ଦେବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଲାଲୁ ଯାଦବ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ।
ତେବେ କୋର୍ଟଙ୍କୁ ଲାଲୁ ଯାଦବ କହିଥିଲେ, ମୁଁ ଦୋଷୀ ନୁହେଁ। ଏହାସହିତ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ। ଏହା ପୂର୍ବରୁ ଲାଲୁ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବା ପାଇଁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ। ଲାଲୁ ଯାଦବ ହ୍ୱିଲଚେୟାରରେ କୋର୍ଟରେ ପହଞ୍ଚିଥିଲେ। ତେବେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
