ବିହାର ନିର୍ବାଚନ: ସୁଶାନ୍ତ ରାଜପୁତଙ୍କ ଭଉଣୀଙ୍କୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ, ୧୩/୧୦ : ବିହାର ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିପିଆଇ (ଏମ୍ଏଲ୍) ପ୍ରାର୍ଥୀ ଘୋଷଣା ଆରମ୍ଭ କରିଦେଇଛି । ଏଥିରୁ ଗୋଟିଏ ନାମ ଚର୍ଚ୍ଚାକୁ ଆସିଛି । ସେ ହେଉଛି ଦିବ୍ୟା ଗୌତମ । ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ଦିବ୍ୟା । ସିପିଆଇ (ଏମ୍ଏଲ୍) ଦିବଂଗତ ଅଭିନେତା ସୁଶାନ୍ତଙ୍କ ମାମୁଁ ଝିଅ ଭଉଣୀ ଦିବ୍ୟାଙ୍କୁ ଦୀଘାରୁ ପ୍ରାର୍ଥୀ କରିଛି । ଦିବ୍ୟା ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ରାମବାଲି ସିଂହଙ୍କୁ ମଧ୍ୟ ଘୋଷି ଆସନରୁ ଟିକେଟ ମିଳିଛି । ଅନ୍ୟପକ୍ଷରେ ନବାଗତ ମଦନ ସିଂହ ଚନ୍ଦ୍ରବଂଶୀଙ୍କୁ ତରାରି, ଆରାରୁ କୟାମୁଦ୍ଦିନ ଅନସାରୀ, ବିଧାୟକ ସନ୍ଦୀପ ସୌରଭଙ୍କୁ ପାଲିଗଞ୍ଜରୁ ଏବଂ ଶିବ ପ୍ରକାଶ ରଞ୍ଜନଙ୍କୁ ଆଗିଆଓଁର ସଂରକ୍ଷିତ ଆସନରୁ ଟିକେଟ୍ ମିଳିଛି । ପ୍ରାର୍ଥୀମାନେ ମଙ୍ଗଳବାରଠାରୁ ନାମାଙ୍କନ ଦାଖଲ କରିବା ଆରମ୍ଭ କରିବେ । ଯଦିଓ ମହାଗଠବନ୍ଧନ ଏପର୍ଯ୍ୟନ୍ତ ଆସନ ବଣ୍ଟନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିନାହିଁ । ୨୦୨୦, ଜୁନରେ ଅଭିନେତନା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇ ସ୍ଥିତ ଭଡ଼ା ଘରୁ ସୁଶାନ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା ।

 

SBI_Festive_Digital Billboard