ନୂଆଦିଲ୍ଲୀ, ୧୫/୧୦ : ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ ହୋଇଛି । ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଟିଥିବା ବିଶିଷ୍ଟ ଅଭିନେତା ପଙ୍କଜ ଧୀର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର କର୍ଣ୍ଣ । ତାଙ୍କ ବିୟୋଗରେ ସମଗ୍ର ଟିଭି ଜଗତ ଦୁଃଖରେ ରହିଛି ।
ଗତ କିଛି ମାସ ଧରି ପଙ୍କଜଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା । କିଛି ମାସ ହେଲାଣି କ୍ୟାନସର ସହିତ ଲଢୁଥିଲେ । ସେଥିପାଇଁ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ସର୍ଜରୀ କରାଯାଇଥିଲା । ପଙ୍କଜଙ୍କ ବିୟୋଗକୁ ନେଇ ସିନେ ଓ ଟିଭି କଳାକାର ସଂଘ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ପଙ୍କଜଙ୍କ ଅଚାନକ ମୃତ୍ୟୁ ଖବର ପାଇ ସାରା ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେ ପାର୍ଲେରେ ସନ୍ଧ୍ୟା ୪.୩୦ ମିନିଟରେ ହେବ । ପଙ୍କଜ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ । ସେ ଚନ୍ଦ୍ରକାନ୍ତା, ଦ ଗ୍ରେଟ ମରାଠା ଭଳି ଶୋ କରିଛନ୍ତି । ହିନ୍ଦୀ ଫିଲ୍ମ ସୋଲଜର, ବାଦଶାହ, ଦଡ଼କ ଭଳି ଫିଲ୍ମରେ କାମ କରିଛନ୍ତି ।
