ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହଙ୍ଗା ଭତ୍ତାରେ ୩% ବୃଦ୍ଧି, ଆଠ ଲକ୍ଷରୁ ଅଧିକ କର୍ମଚାରୀ ଓ ପେନ୍ସନଭୋଗୀଙ୍କୁ ଫାଇଦା
ଭୁବନେଶ୍ୱର, ୧୬ ଅକ୍ଟୋବର — ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ସେ ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ବଢ଼ି ୫୮ ପ୍ରତିଶତ ହେବ। ଏହି ବୃଦ୍ଧି ଜୁଲାଇ ୧, ୨୦୨୫ରୁ ପିଛିଲା ଭାବରେ (retrospectively) ଲାଗୁ ହେବ ଓ ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ଦିଆଯିବ।
ଏହା ସହିତ ରାଜ୍ୟର ପେନ୍ସନଭୋଗୀ ମାନଙ୍କ ଟି.ଆଇ (TI) ରେ ମଧ୍ୟ ସମାନ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସର ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇପାରିବେ।
ସରକାରୀ ସୂତ୍ର ଅନୁସାରେ, ଏହି ନିଷ୍ପତ୍ତିରେ ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଲାଭ ପାଇବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୀପାବଳି ପୂର୍ବରୁ ଏହି ଘୋଷଣା ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଆନନ୍ଦ ଓ ଉତ୍ସାହର ସୃଷ୍ଟି କରିବ।
