ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ବିମାନରୁ ଆକ୍ରମଣରେ ୬ ମୃତ

ନୂଆଦିଲ୍ଲୀ, ୧୮/୧୦ : ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ପାକଟିକା ପ୍ରଦେଶରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଦୁଇ ଶିଶୁ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ଏହି ବିମାନ ଆକ୍ରମଣ ଦେଶର ଅର୍ଗାନ ଏବଂ ବର୍ମାଲ ଜିଲ୍ଲାର ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଥିଲା, ଯାହା ଫଳରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଛଅ ଜଣ ମହିଳା ଏବଂ ଜଣେ ଶିଶୁ ଅନ୍ତର୍ଭୁକ୍ତ। ସାଧାରଣ ନାଗରିକଙ୍କ ଘର ଟାର୍ଗେଟ କରାଯାଇଥିଲା। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। କିଛି ଦିନର ଭୟଙ୍କର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଚୁକ୍ତିନାମା ମଧ୍ୟରେ ଏହି ଆକ୍ରମଣ ହୋଇଛି। ପୂର୍ବରୁ ପାକିସ୍ତାନ ଉତ୍ତେଜନା ହ୍ରାସ ଏବଂ ହିଂସା ରୋକିବା ପାଇଁ ଚାଲିଥିବା ଦୋହା ଆଲୋଚନା ଶେଷ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତିକୁ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲା। ଶନିବାର ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମୌଲଭି ମହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଶନିବାର ଦୋହା ଯିବାର ଆଶା କରାଯାଉଛି। ଏହି ସମୟରେ ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ଗଠିତ ପାକିସ୍ତାନୀ ପ୍ରତିନିଧି ଦଳ ଆଲୋଚନା ପାଇଁ ପୂର୍ବରୁ ଦୋହାରେ ପହଞ୍ଚି ସାରିଛନ୍ତି।

SBI_Festive_Digital Billboard